ନିଷ୍କାସନ ପଥ ବନ୍ଦ, ରାସ୍ତାରେ ଲହଡ଼ି ମାରୁଛି ଆବର୍ଜନା ପାଣି

ଖଣ୍ଡପଡ଼ା,୨୮ା୭(ଅଜୟ କୁମାର ମହାରଣା): ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ଖଣ୍ଡପଡ଼ା ବ୍ଳକ ବେଣାଗାଡିଆ ପଞ୍ଚାୟତ ଅଧୀନ ବେଣାଗାଡିଆ ଛକ ପୂର୍ତ୍ତ ବିଭାଗ ରାସ୍ତାଠାରୁ ତେନ୍ତୁଳାପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ପରିତ୍ୟକ୍ତ ଅବସ୍ଥାରେ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଗ୍ରାମର ଉଦ୍‌ବୃତ ପାଣି ଓ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବହୁଦିନ ଧରି ରାସ୍ତା ଉପରେ ଲହଡି ମାରୁଛି। ଅପରପକ୍ଷେ, ବେଣାଗାଡିଆ ଛକଠାରୁ ହାଇସ୍କୁଲ ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୪ ଶହ ମିଟର ରାସ୍ତାରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଖାଲଖମା ସୃଷ୍ଟି ହୋଇଛି। ସେଠାରେ ବର୍ଷାଜଳ ଜମା ହୋଇ ଗମନାଗମନରେ ସମସ୍ୟା ସୃଷ୍ଟି କରୁଛି। ଫଳରେ ପ୍ରତ୍ୟେହ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ସାହି ବାସିନ୍ଦା, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ସହ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ବର୍ଷା ଜଳ ନିଷ୍କାସନ ନିମନ୍ତେ ବହୁ ବର୍ଷ ପୂର୍ବେ ଉକ୍ତ ରାସ୍ତାରେ ୩ କଲର୍ଭଟ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ କଲର୍ଭଟ ପୋତି ହୋଇଯିବା ସହ ସ୍ଥାନୀୟ କେତେଜଣ ବ୍ୟକ୍ତିଙ୍କ କବଜାରେ ରହି ଗୃହ ସଂପ୍ରସାରଣ କରାଯାଇଛି। ବର୍ଷ ବର୍ଷ ଧରି ପଞ୍ଚାୟତ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଅପରପକ୍ଷେ ଖଣ୍ଡପଡା- ବାଣପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ବେଣାଗାଡିଆ ଛକ ସମ୍ପ୍ରତି ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ପ୍ରଦୂଷିତ ପରିବେଶ ସୃଷ୍ଟି ହୋଇଛି। ରାସ୍ତା କଡରେ ଥିବା ବିଭିନ୍ନ ଦୋକାନ ବଜାରର ବର୍ଜବସ୍ତୁ, ଜଳଖିଆ ଦୋକାନର ପତ୍ର, ଠୁଙ୍ଗା, ପଲିଥିନ ଜରି ଆଦି ଜମି ନିଷ୍କାସନ ପଥରେ ଅଟକି ରହିଛି। ଏଥିପାଇଁ ନର୍ଦ୍ଦମା ପାଣି ରାସ୍ତା ଉପର ଦେଇ ପ୍ରବାହିତ ହେଉଥିବାରୁ ସାଧାରଣରେ ଅସନ୍ତେଷ ପ୍ରକାଶ ପାଇଛି। ଏହି ଦୂଷିତ ପରିବେଶରେ ମଶା ମାଛିଙ୍କ ବଂଶ ବୃଦ୍ଧି ଘଟି ଡେଙ୍ଗୁ ରୋଗ ବ୍ୟାପୀବାର ଆଶଙ୍କା ପ୍ରକାଶ ପାଇଛି। ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ ନିମନ୍ତେ ପଞ୍ଚାୟତ କର୍ତ୍ତୃପକ୍ଷ, ଖଣ୍ଡପଡ଼ା ବ୍ଳକ ପ୍ରଶାସନ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।