ରାସ୍ତାରେ ଜମୁଛି ଡ୍ରେନ୍‌ପାଣି, ଲୋକେ ହଇରାଣ

ଖୋର୍ଦ୍ଧା ଅଫିସ,୩ା୬: ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ପୁରୁଣା ଦମକଳ ଛକଠାରେ ଡ୍ରେନ କାମ ଚାଲିଛି। ଫଳରେ ଏହି ଡ୍ରେନକୁ ସଂଯୋଗ କରୁଥିବା ଅନ୍ୟ ସାହିର ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମୁଛି। ଦମକଳ ଛକ ସମ୍ମୁଖ ରାସ୍ତାରୁ ବରୁଣେଇ ସାହିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱ ଡ୍ରେନ ପାଣି ରାସ୍ତାରେ ଜମି ରହୁଛି। ସପ୍ତାହେ ହେବ ରାସ୍ତାରେ ପାଣି ଜମି ରହିଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ସହରର ବହୁ ଡ୍ରେନ ପୋତି ହୋଇପଡ଼ିଥିବା ବେଳେ ସମାନ ଦୃଶ୍ୟ ରହିଛି।
ଖୋର୍ଦ୍ଧାର ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହିରୁ ନିଷ୍କାସନ ହେଉଥିବା ନାଳ ପୁରୁଣା ଦମକଳ ଛକ ନାଳରେ ମିଶିଛି। ସେହିଭଳି ସାମନ୍ତରାପୁର ଛକ ଠାରୁ ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ଉପଜିଲାପାଳଙ୍କ ବାସଭବନ ପଛପଟ ଆଦି ସାହିର ନାଳ ପୁରୁଣା ଦମକଳ ଛକ ନାଳକୁ ସଂଯୋଗ କରୁଛି। ତେବେ ସେଠାରୁ ଗୋଡି ପୋଖରୀ ଛକ ପରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପଟେ ଏହି ଡ୍ରେନରେ ପ୍ଲାଷ୍ଟିକ, ପଲିଥିନ, ପାଣିବୋତଲ ଆଦି ପଡି ଜମା ହୋଇଛି। ଏହାକୁ ମଧ୍ୟ ସଫା କରାଯାଉନାହିଁ। ଫଳରେ ନାଳପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମୁଛି ବୋଲି ଯୁବ ସାମାଜିକ କର୍ମୀ ଶୁଭ୍ର ରଞ୍ଜନ ଦାସ କହିଛନ୍ତି। କଂଗ୍ରେସ ନେତା ଶିଶିର ପରିଡା କୁହନ୍ତି, ଆଉ ଦିନ କେଇଟା ପରେ ମୌସୁମୀ ପ୍ରବେଶ କରିବ। ବର୍ତ୍ତମାନ ସୁଦ୍ଧା ପୌର ପ୍ରଶାସନ ପକ୍ଷରୁ ଭାଙ୍ଗିରୁଜି ଯାଇଥିବା ଡ୍ରେନ ମରାମତି ଏବଂ ସଫା କରାଯାଇନାହିଁ। ଫଳରେ ବର୍ଷା ଦିନେ ଖୋର୍ଦ୍ଧା ସହର ନାଳପାଣି ରାସ୍ତାରେ ଜମିବା ସମ୍ଭାବନା ରହିଛି। ସାମାଜିକ କର୍ମୀ ଆଦିତ୍ୟ ମହାରଣା କୁହନ୍ତି, ଖୋର୍ଦ୍ଧା ସହରରେ ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ବର୍ଷା ଦିନ ଆସିଲେ ଲୋକେ ଦେଖାଣିଆ ଭାବେ ନାଳସଫା କରି ଛାଡି ଦିଆଯାଉଛି। ପରିମଳ ସୁଧାରିବା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ତାହା ସବୁ ସରକାରୀ କାଗଜକଲମରେ ଚାଲିଛି, କୌଣସି ପରିବର୍ତ୍ତନ ନାହିଁ। ପୌର ନିର୍ବାଚନ ପରେ ଜନପ୍ରତିନିଧି ଏଥିପ୍ରତି ଗୁରୁତ୍ୱ ଦେବା ପରିବର୍ତ୍ତେ ସଭାସମିତିରେ ସୀମିତ ରହିଛନ୍ତି ବୋଲି ସାମାଜିକ କର୍ମୀ ଆଶିଷ ବୁଧିରେନ୍ଦ୍ର କହିଛନ୍ତି। ଅନ୍ୟପକ୍ଷରେ ଏନେଇ ପୌର ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି କୁହନ୍ତି, ବର୍ଷା ଦିନ ପୂର୍ବରୁ ଡ୍ରେନ ସଫା କରାଯିବ।