ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି। ଘରୁ ଗୋଡ଼ କାଢିଲେ ଅପରିଷ୍କାର ପାଣି ଭିତରେ ପାଦ ପକାଇବାକୁ ପଡୁଛି। ଡ୍ରେନ୍‌ ପାଣି ପାଇଁ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାବେଳେ ଘର ଭିତରକୁ ପୋକଜୋକ ପଶିଯାଉଛନ୍ତି। ଏଭଳି ସ୍ଥିତି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଓ୍ବାର୍ଡ ନଂ.୩୧ ଅନ୍ତର୍ଗତ ଶବରସାହି ନେତାଜୀ ନଗର ବସ୍ତିରେ ଦେଖିବାକୁ ମିଳିଛି। ବମିଖାଲ, ରସୁଲଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଘରୁ ବାହାରୁଥିବା ଡ୍ରେନ୍‌ ପାଣି ବସ୍ତି ଦେଇଯାଉଛି। ବସ୍ତିରୁ ବାହାରିବା ପରେ ଡ୍ରେନ୍‌ ପାଣି ପାଖରେ ଥିବା ଜମିରେ ମିଶୁଥିଲା। ଏବେ ସେହି ଘରୋଇ ଜମିରେ କାମ ଚାଲିଥିବାରୁ ଡ୍ରେନ୍‌ରୁ ବାହାରୁଥିବା ପାଣିକୁ ବାଲି ପକାଇ ବନ୍ଧେଇ ଦିଆଯାଇଛି। ଫଳରେ ଡ୍ରେନ୍‌ ପାଣି ଆସି ଲୋକଙ୍କ ଘର ଆଗରେ ଜମି ରହୁଛି। ବସ୍ତିରେ ୪୦ରୁ ଊର୍ଦ୍ଧ୍ୱ ପରିବାର ଆସୁଛନ୍ତି। ଏହାର ଅଳ୍ପ କିଛି ଦୂରରେ ମୁଖ୍ୟ ଡ୍ରେନ୍‌ ରହିଛି। ତେଣୁ ଏଠାରୁ ବାହାରୁଥିବା ଅପରିଷ୍କାର ପାଣିକୁ ଡ୍ରେନ୍‌ ଯୋଗେ ମୁଖ୍ୟ ଡ୍ରେନ୍‌ରେ ମିଶାଇ ଦେଲେ ଲୋକମାନଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା। ମାତ୍ର ତାହା ନ କରି ଡ୍ରେନ୍‌ ପାଣିକୁ ବନ୍ଧେଇ ଦିଆଯାଇଛି। ଯାହାଦ୍ୱାରା ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଏଥିସହ ଡ୍ରେନ୍‌ କରିବା ପାଇଁ କର୍ପୋରେଟରଙ୍କୁ ଜଣାଇଲେ ୧୦ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପରେ ସେମାନେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନିକଟକୁ ଯାଇଥିଲେ। ବିଧାୟକ ନିଜେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଦେଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୧୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ଆମେ ଏଠାରେ ରହି ଆସୁଛୁ। ଶବରସାହି ଗ୍ରାମର ଲୋକମାନେ ଆମକୁ ଏହି ଜାଗା ପ୍ରଦାନ କରିଥିଲେ। ବମିଖାଲରୁ ଆରମ୍ଭ କରି ଏହାର ଆଖପାଖ ଆପାର୍ଟମେଣ୍ଟରୁ ବାହାରୁଥିବା ଅପରିଷ୍କାର ପାଣି ବସ୍ତି ମଧ୍ୟରେ ଥିବା ଡ୍ରେନ୍‌ ଦେଇ ଯାଉଛି। ଡ୍ରେନ୍‌ରୁ ବାହାରି ପାଖରେ ଥିବା ଜମିରେ ପାଣି ମିଶୁଥିଲା। ମାତ୍ର ଏବେ ସମ୍ପୃକ୍ତ ଜମିର ମାଲିକ ପାଣି ବାହାରୁଥିବା ସ୍ଥାନକୁ ବାଲି ପକେଇ ବନ୍ଧେଇ ଦେଇଛନ୍ତି। ଏ ସମ୍ପର୍କରେ କର୍ପୋରେଟରଙ୍କୁ କହିବାରୁ ସେ ଟଙ୍କା ମାଗିଥିଲେ। ଆମେ ଖଟିଖିଆ ଲୋକ। ପରଘରେ କାମ କରି, ଦୋକାନ କରି ଗୁଜୁରାଣ ମେଣ୍ଟାଉଛୁ, ତେଣୁ ଏତେ ଟଙ୍କା କୋଉଠୁ ଆଣିବୁ ବୋଲି କହିଛନ୍ତି। ଅପରପକ୍ଷେ ଏ ନେଇ କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର କହିଛନ୍ତି, ଜଳାଶୟକୁ ପୋତି ଲୋକମାନେ ବେଆଇନ ଭାବେ ୫ବର୍ଷ ହେବ ସେଠାରେ ରହୁଛନ୍ତି। ଘର କରିବା ସମୟରେ ମୁଁ ସେମାନଙ୍କୁ ବାରଣ କରିଥିଲି। ଜଳାଶୟରେ ଘର କରିଥିବାରୁ ଡ୍ରେନ୍‌ ସମସ୍ୟା ରହିବ। ସେଠାରେ ରାସ୍ତା ମଧ୍ୟ ନାହିଁ। ବିଲ୍ଡର ନିଜ ଜମିରେ ଯିବାଆସିବା ପାଇଁ ସେମାନଙ୍କୁ ରାସ୍ତା ଛାଡିଛି। ଏହାବାଦ୍‌ ସମାଧାନ ପାଇଁ ସେମାନେ ନିଜେ କିଛି ଅର୍ଥ ଆଦାୟ କରି ବିଲ୍ଡର ସହ ମିଶି ଡ୍ରେନ୍‌ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲି। ମାତ୍ର ସେମାନେ ମୁଁ ଟଙ୍କା ମାଗୁଛି ବୋଲି ମିଛରେ ପ୍ରଚାର କରିଥିବା କର୍ପୋରେଟର ସଫେଇ ଦେଇଛନ୍ତି।