ଗିଲଗିଟ୍‌-ବଲ୍ଟିସ୍ତାନକୁ ନେଇ ମୁହଁ ଖୋଲିଲା ଡ୍ରାଗନ

ବେଜିଂ,୫।୧୧: ପାକିସ୍ତାନରେ ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍‌-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଥିଲା। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ ଭାରତର କିଛି ଅଞ୍ଚଳରେ ବେଆଇନ ଦଖଲ କରିଥିବା ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗରେ କୁହାଯାଇଥିଲା। ତେବେ ଏନେଇ ଚାଇନା ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନ ଥିଲା। ୪ ଦିନ ଚୁପ୍‌ ରହିବା ପରେ ଚାଇନା ବିଦେଶମନ୍ତ୍ରଣାଳୟ ପ୍ରବକ୍ତା ଓ୍ବାଙ୍ଗ୍‌ ଓ୍ବେନବିନ୍‌ ଏକ ଗଣମାଧ୍ୟମ ସମ୍ମିଳନୀରେ ଏସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରାଯାଇ ଏହାର ଅନୁଧ୍ୟାନ କରାଯାଇଛି। କଶ୍ମୀର ପ୍ରସଙ୍ଗ ନେଇ ଚାଇନାର ନୀତି ସ୍ପଷ୍ଟ ଏବଂ ସ୍ଥିର ଥିବା ସେ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଜାରି ରହିଛି। ଏହାର ସମାଧାନ ଜାତିସଂଘ ସୁରକ୍ଷା ପରିଷଦ ସହାୟତାରେ ତଥା ଦୁଇପକ୍ଷଙ୍କ ମୁଝାମଣାରେ ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଓ୍ବେନବିନ୍‌ ଗିଲଗିଟ୍‌-ବଲ୍ଟିସ୍ତାନକୁ ନେଇ ପାକିସ୍ତାନ ବିରୋଧରେ କିଛି ବି ଉତ୍ତର ଦେଇ ନ ଥିଲେ।

Share