ଜୈବିକ ସାର ପ୍ରୟୋଗକରି ଡ୍ରାଗନ ଚାଷ

ମହାକାଳପଡ଼ା ୨୮ା୧୨ (ଡି.ଏନ.ଏ.): ଚାଷୀଟିଏ ଚାଷ କରି ଅଭାବୀ ବିକ୍ରି ବଟାର ସମ୍ମୁଖୀନ ହେଉଛି। ନିଜସ୍ବ ଜମିକୁ ଅନ୍ୟକୁ ଭାଗ ଦେଇ ଦେଉଛନ୍ତି। ଠିକ୍‌ ସେତିକି ବେଳେ ଯୁବ ପରିବେଶବିତ୍‌ ଜୈବିକ ସାର, କୀଟ ନାଶକ ପ୍ରୟୋଗ କରି ଭିଏତ୍‌ନାମର ଡ୍ରାଗନ୍‌ ଫଳକୁ ନିଜର ଟାଙ୍ଗରା ଭୂଇଁରେ ଚାଷ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଖାଲି ସେତିକି ନୁହେଁ, ନିଜର ଖୁବ୍‌ ସ୍ବଳ୍ପ ଜମିରେ ଏକ ପୋଖରୀରେ ବିଭିନ୍ନ ପ୍ରକାରର ମାଛ ଚାଷ କରିବା ସହ ପୋଖରୀ ହୁଡ଼ାରେ ୬୦ରୁ ଅଧିକ ବିଭିନ୍ନ କିସମର ଦେଶୀ ଓ ବିଦେଶୀ ଫଳ ଚାଷ କରିଥିବା ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ଛପାଲୀ ଗଁାର ଯୁବ ପରିବେଶବିତ୍‌ ସମରେନ୍ଦ୍ର ମହାଳିଙ୍କ ବାଡିରେ ବିଭିନ୍ନ ପ୍ରକାର ଫୁଲ, ଫଳ ଦେଖିବାକୁ ମିଳିଛି। ଏହା ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରାଯାଉଛି। ବଜାରରେ ମିଳୁଥିବା ଫଳଠାରୁ ଏହା ଖୁବ୍‌ ସ୍ବାଦିଷ୍ଟଯୁକ୍ତ। ତେବେ ମାହାଳିଙ୍କ କହିବା କଥା, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟ ତଥା ଦିଲ୍ଲୀ, ହରିୟାଣା, ଚେନ୍ନାଇ, ବାଙ୍ଗାଲୁରୁ, ଗୁଜରାଟ ଆଦି ଅଞ୍ଚଳ ବୁଲିବା ପରେ ସେଠାକାର ଜଳବାୟୁରେ ଫଳ ଚାଷ ପ୍ରଣାଳୀକୁ ଦେଖି ଖୁବ୍‌ ବିମୋହିତ ହୋଇ ନିଜେ କିଛି କରିବାକୁ ସଂକଳ୍ପ ନେଇଥିଲି। ପରେ ସ୍ବଳ୍ପ ଟାଙ୍ଗରା ଜମିରେ ଏହି ଫଳ ଚାରାଗୁଡିକ କୋଲକାତାରୁ ଅନ୍‌ଲାଇନରେ ମଗାଇ ବାଡିରେ ରୋପଣ କରିଥିଲେ। ପରେ ଚାରା ମୂଳରେ ଜୈବିକ ଖତ ଅଣୁସାର ପ୍ରୟୋଗ କରିଥିଲି। ଏହାର କିଛି ମାସ ପରେ ଗଛଗୁଡିକରେ ଫୁଲ, ଫଳ ଧରିବାରୁ ରୋଗ ପ୍ରତିଷେଧକ ଭାବେ ଜୈବିକ ଉପାୟରେ ଗୋ ମୂତ୍ର, କାକର ଜଳ, ବର୍ଷା ଜଳ, ଶୁଖିଲା ଗୋବର, ସୋରିଷ ପିଡ଼ିଆ, ବେସନ, ଗୁଡ଼, ନିମ୍ନ ଓ କରଞ୍ଜ ପତ୍ରକୁ ମିଶାଇ ଏକ ନିବୁଜ ମାଟି ପାତ୍ରରେ ୭ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଥିଲା। ପରେ ଉକ୍ତ ମିଶ୍ରଣକୁ କୀଟନାଶକ ଭାବେ ସିଞ୍ଚନ କରାଯାଉଛି; ଯାହାଫଳରେ ଏହି ଗଛରେ ଫଳି ଥିବା ଫଳ ସାମ୍ପ୍ରତିକ ବଜାରରେ ମିଳୁଥିବା ଫଳ ତୁଳନାରେ ଢେର୍‌ ଉନ୍ନତମାନର ବୋଲି କୁହାଯାଇଛି। ଉକ୍ତ ହୁଡ଼ାରେ ଫଳୁ ଥିବା ଫଳ ମଧ୍ୟରେ ରହିଛି ଡ୍ରାଗନ୍‌, କଶ୍ମୀରୀ ଆପଲ, ଥାଇଲାଣ୍ଡ ଆପଲ ବାର, ଚାଇନା କମଳା, ଜାମୁ ଡୋଳ, ବାନାନା ଆମ୍ବ, ଥାଇ ପିଜୁଳି, କରମଙ୍ଗା, ଆଣ୍ଡାମାନ ଲଙ୍କା (ମିରିଚି ), ସପେଟା, ମୌସମୀ, ଇନୋ ଭଳି ବିଭିନ୍ନ ଦେଶୀୟ ଓ ବିଦେଶୀ ଫଳ ଏବେ ଫଳି ଥିବା ଦେଖିବାକୁ ମିଳିଛି। ଏହି ଦେଶୀ ବିଦେଶୀ ଫଳଗୁଡ଼ିକ ଦେଖିବାକୁ ମାହାଳିଙ୍କ ବାଡିରେ ଏବେ ଲୋକଙ୍କ ଭିଡ ହେଉଛି। ଉପକୂଳ ଅଞ୍ଚଳରେ ଡ୍ରାଗନ୍‌ ଭଳି ବିଦେଶୀ ଫଳ ଫଳିବାର ଉପଯୁକ୍ତ ଜଳବାୟୁ ସହାୟକ ହୋଇପାରିଛି। ସାପ୍ତାହିକ ବଜାରରେ ଡ୍ରାଗନ୍‌ କିଲୋ ପ୍ରତି ୩ ଶହରୁ ୪ଶହ ଟଙ୍କା ରହିଛି। ସ୍ଥାନୀୟ ବେକାର ଯୁବତୀଯୁବକମାନେ ଦାଦନ ଖଟିବାକୁ ନ ଯାଇ ଯଦି ଏହି ଚାଷ ପ୍ରତି ମନ ବଳାଇବେ ତାହା ହେଲେ ଖୁବ୍‌ ସ୍ବଳ୍ପ ସମୟ ମଧ୍ୟରେ ଅଧିକ ଚାଷ କରି ଲାଭବାନ ହୋଇପାରିବେ ବୋଲି ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି।