ସ୍ଫୁଟନିକ୍‌ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ମନା

ନୂଆଦିଲ୍ଲୀ,୧।୭: ଡ.ରେଡ୍ଡୀସ୍‌ ଲାବ୍ରୋଟାରୀକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତରେ ରୁଷିଆ କମ୍ପାନୀର ସ୍ଫୁଟନିକ୍‌ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ମିଳିନାହିଁ। ଡ.ରେଡ୍ଡୀସ୍‌ ଲାବ୍ରୋଟାରୀକୁ ଟ୍ରାଏଲ ପାଇଁ ସରକାରୀ ବିଶେଷଜ୍ଞ କମିଟି ମଞ୍ଜୁରୀ ପ୍ରଦାନ କରି ନ ଥିବା ଜଣାପଡ଼ିଛି। ବୁଧବାର ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଡ.ରେଡ୍ଡୀସ୍‌ ଲାବ୍ରୋଟାରୀ କରିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁଥିରେ ଭାରତରେ ସ୍ଫୁଟନିକ୍‌ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଅନୁମତି ପାଇଁ ଆବେଦନ କରାଯାଇଥିଲା। ତେବେ ଏହି କମିଟି କମ୍ପାନୀକୁ ଟ୍ରାଏଲ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ସୂଚନାଯୋଗ୍ୟ, ସ୍ଫୁଟନିକ୍‌ ଲାଇଟ ହେଉଛି ଓ୍ବାନ୍‌ ଶଟ୍‌ ଭାକ୍ସିନ, ଯାହାର ଗୋଟିଏ ଡୋଜ୍‌ ହିଁ ଯଥେଷ୍ଟ। କିନ୍ତୁ ଏବେ ଏହାକୁ ଭାରତରେ ଅନୁମତି ମିଳିପାରିନାହିଁ ବୋଲି ଡ.ରେଡ୍ଡୀସ୍‌ର ସିଇଓ ଦୀପକ ସାପରା କହିଛନ୍ତି। ଦେଶର ଟିକାକରଣ ଅଭିଯାନରେ ଯଦି ଏହି ଟିକା ସାମିଲ ହୋଇଯାଏ ତେବେ କରୋନାରୁ ଲୋକଙ୍କୁ ଏହା ୮୦ପ୍ରତିଶତ ସୁରକ୍ଷା ପ୍ରଦାନ କରିବ। ଯଦି ଏହି ଭାକ୍ସିନକୁ ଅନୁମତି ମିଳିଯାଏ ତେବେ ଏହାର ମୂଲ୍ୟ ପ୍ରାୟ ୭୩୦ଟଙ୍କା ହେବ ବୋଲି ଦୀପକ ସୂଚନା ଦେଇଛନ୍ତି।

Share