Categories: ଜାତୀୟ

ଏଚ୍‌୩ଏନ୍‌୨ ସଂକ୍ରମଣ ଚିନ୍ତା: ମାସ୍କ, ଟିକାକରଣ, ସାନିଟାଇଜେସନ୍‌ ଉପରେ ଗୁରୁତ୍ୱ

ନାଗପୁର,୧୩ା୩: ଜାତୀୟ କୋଭିଡ୍‌ ଟାସ୍କଫୋର୍ସର ନେତୃତ୍ୱ ନେଇଥିବା ଡ. ରଣଦୀପ୍‌ ଗୁଲେରିଆ ବର୍ତ୍ତମାନର ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨ ସଂକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସଂକ୍ରମଣରୁ ବର୍ତ୍ତିବା ଲାଗି ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ। କୋଭିଡ୍‌ ସମୟର ଆଇଶୋଲେଶନ ଭଳି ବର୍ତ୍ତମାନ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣର ଅଧିକ ବିପଦ ଥିବା ଲୋକମାନଙ୍କୁ ଏକାନ୍ତ ବାସରେ ରଖିବା ଏବଂ ସମସ୍ତେ ଟିକା ନେବା ଲାଗି ଗୁଲେରିଆ ପରାମର୍ଶ ଦେଇଛନ୍ତି। ଏକାଡେମୀ ଅଫ୍‌ ମେଡିକାଲ ସାଇନ୍ସ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀ ଅବସରରେ ଗୁଲେରିଆ ଗଣମାଧ୍ୟମକୁ ଏହା କହିଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ନିଶ୍ୱାସରେ ବାହାରୁଥିବା ଜଳକଣା ଏବଂ କାଶରେ ଭୂତାଣୁ ସଂକ୍ରମିତ ହେଉଥିବାରୁ ସମସ୍ତେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସେହିପରି ପିଲାମାନେ ସ୍କୁଲରେ ସଂକ୍ରମିତଙ୍କୁ ଛୁଇଁ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମିତ କରାଉଛନ୍ତି। ସେଥିପାଇଁ ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁଲେରିଆ ଗୁରୁତ୍ୱ ଦେଇଛନ୍ତି। ସୂଚନା ମୁତାବକ, ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨ ଯୋଗୁ ଦେଶରେ ୨ଟି ମୃତ୍ୟୁ ହୋଇସାରିଛି। କର୍ନାଟକ ଏବଂ ହରିଆଣାରେ ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

Share