ଡ. ପ୍ରଶାନ୍ତ କୁମାର ନାୟକଙ୍କୁ ଗୁରୁଦାୟତ୍ବ ଦେଲା ଭାଜପା, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନମଣ୍ଡଳୀର ଜଣେ ଦକ୍ଷ ସଂଗଠକ ତଥା ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ନାୟକଙ୍କୁ ଭାଜପା ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ତାଙ୍କର ଏହି ନୂତନ ନିଯୁକ୍ତି ପରେ ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ଭାଜପା ମହଲରେ ଆନନ୍ଦ ପ୍ରକାଶ ପାଇଛି ।

ଡ଼. ନାୟକ ଏହା ପୂର୍ବରୁ ଭାଜପା ଓବିସି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ସେ କରପଡ଼ା-ଆଲିଆବାଦ ସମବାୟ ସମିତିର ସଭାପତି ଅଛନ୍ତି । ଏଥିସହ ସେ ଗଞ୍ଜାମ ଜିଲା ଭାଜପାର ସାଧାରଣ ସମ୍ପାଦକ, ୧୪ ନମ୍ବର ଜୋନ୍‌ର ପୂର୍ବତନ ଜିଲା ପରିଷଦ ସଦସ୍ୟ ଏବଂ ପୂର୍ବତନ ସରପଞ୍ଚ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଦୀର୍ଘବର୍ଷ ଧରି ଦଳୀୟ ସଂଗଠନକୁ ମଜଭୁତ କରିବା ସହ ଜନସେବା କ୍ଷେତ୍ରରେ ତାଙ୍କର ସକ୍ରିୟତା, ନିଷ୍ଠା ଓ ଅଭିଜ୍ଞତାକୁ ବିଚାରକୁ ନେଇ ଦଳ ପକ୍ଷରୁ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଥିବା କୁହାଯାଉଛି।

ଏହି ନିଯୁକ୍ତିକୁ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଡ଼. ପ୍ରଶାନ୍ତ କୁମାର ନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି । ନୂତନ ଦାୟିତ୍ୱ ମାଧ୍ୟମରେ ସେ ପଛୁଆ ବର୍ଗଙ୍କ ଅଧିକାର, ସ୍ୱାର୍ଥରକ୍ଷା ଏବଂ ସାମଗ୍ରିକ ବିକାଶ ଦିଗରେ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଡ଼. ନାୟକଙ୍କ ଏହି ସଫଳତା ପରେ ବିଭିନ୍ନ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି ।

 

Dharitri – Odisha’s No.1 Odia Daily

Share