Categories: ଜାତୀୟ

ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା

ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ କରିଥିଲେ। ଭିଡିଓରେ ସେ କହିଥିଲେ,‘ଯଦି ସେ ମୋଠାରୁ ମୁକ୍ତି ଚାହଁାନ୍ତି ତେବେ ତାଙ୍କୁ ତାହା ମିଳିବା ଦରକାର। ମୁଁ ଆଲ୍ଲାଙ୍କୁ ଭେଟିବାକୁ ଯାଉଥିବାରୁ ଖୁସି। କେଉଁଠାରେ ମୋ ଭୁଲ୍‌ ରହିଗଲା ତାହା ଆଲ୍ଲାଙ୍କୁ ପଚାରିବି। ହୁଏତ ମୋ ନିୟତିରେ କିଛି ତ୍ରୁଟି ରହିଯାଇଛି। ମୁଁ ଖୁସି ଅଛି। ଆଲ୍ଲାଙ୍କ ନିକଟରେ ଅନୁରୋଧ କରିବି ଯେ ସେ ଆଉ କେବେ ବି ତାଙ୍କୁ ମଣିଷର ମୁହଁ ନ ଦେଖାନ୍ତୁ।’ ଏହା ପରେ ସେ ହସହସ ମୁହଁରେ ନଦୀକୁ ଡେଇଁ ପଡ଼ିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ମା’ବାପାଙ୍କୁ ଫୋନ ମଧ୍ୟ କରିଥିଲେ। ସୁଇସାଇଡ୍‌ ବେଳର ଭିଡିଓ ସାମ୍‌ନାକୁ ଆସିବା ପରେ ତାହା ଯୌତୁକ ନିର୍ଯାତନାଜନିତ ଆତ୍ମହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଛି। ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିବାବେଳେ ଘଟଣା ବାବଦରେ ଜାଣି ଆୟେଶାଙ୍କ ସ୍ବାମୀ ଆରିଫ୍‌ ଖାନ ଫେରାର ହୋଇଯାଇଥିଲେ। ରାଜସ୍ଥାନର ପାଲିରୁ ପୋଲିସ ଆରିଫଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଗୁଜରାଟ ପୋଲିସ ଆରିଫ୍‌ଙ୍କୁ ଅହମଦାବାଦସ୍ଥିତ ଏକ କୋର୍ଟରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଛି।

‘ମରିଯା, ଭିଡିଓ ପଠାଇବୁ’

 

ଆୟେଶା ମରିଯାଆନ୍ତୁ ବୋଲି ଆରିଫ୍‌ ଚାହୁଁଥିଲେ ଏବଂ ବାରମ୍ବାର ତାଙ୍କୁ ମରିଯିବାକୁ କହୁଥିଲେ। ପୂର୍ବରୁ ଆୟେଶା ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଆରିଫ୍‌ଙ୍କୁ ବାରମ୍ବାର କଲ୍‌ କରୁଥିଲେ ମଧ୍ୟ ସେ ଫୋନ୍‌ ଉଠାଉ ନ ଥିଲେ। ଯଦି କେବେ ଫୋନ ଉଠାଉଥିଲେ କହୁଥିଲେ, ତୁ ମରିଯା। ମରିବା ସମୟ ଭିଡିଓ ପଠାଇବୁ। ଆୟେଶା ଏଥିରେ ବ୍ୟଥିତ ହୋଇ ଶେଷରେ ହସି ହସି ଜଳସମାଧି ନେବାକୁ ସ୍ଥିର କଲେ। ମୃତ୍ୟୁ ପରେ ମଧ୍ୟ ଆରିଫ୍‌ଙ୍କୁ ଦୋଷ ନ ଦେବାକୁ ଆୟେଶା ନିଜ ପରିବାର ଲୋକଙ୍କୁ କହିଥିଲେ। ଏହା ବ୍ୟତୀତ ରାଜସ୍ଥାନର ଅନ୍ୟ ଜଣେ ଯୁବତୀଙ୍କ ସହ ଆରିଫ୍‌ଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ମଧ୍ୟ ଅଭିଯୋଗ ରହିଛି।

ପ୍ରେମ ବିବାହ କରିଥିଲେ

୨୩ ବର୍ଷୀୟା ଆୟେଶା ରାଜସ୍ଥାନର ଜାଲୋରଠାରେ ରହୁଥିବା ଆରିଫ୍‌ଙ୍କୁ ପ୍ରେମ କରୁଥିଲେ। ୨୦୧୮ରେ ପରିବାର ସହମତିରେ ଉଭୟଙ୍କ ବିବାହ ହୋଇଥିଲା। ଜାଲୋରସ୍ଥିତ ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ପିତା ବାବୁ ଖାନଙ୍କ ସହ ଆରିଫ୍‌ କାମ କରୁଥିଲେ। ବାହାଘର ପରେ ଆରିଫଙ୍କ ସମେତ ତାଙ୍କ ଘର ଲୋକେ ଆୟେଶାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ମାରପିଟ୍‌ ସହି ନ ପାରି ଆୟେଶା ଅହମଦାବାଦ ପଳାଇ ଆସୁଥିଲେ। ଟଙ୍କା ଦେଲେ ଝିଅକୁ ଶାଶୁ ଘରକୁ ପଠାଇବାକୁ ଆରିଫ୍‌ ଆୟେଶାଙ୍କ ମାତାପିତାଙ୍କୁ କହୁଥିଲେ। ଦାବି ମୁତାବକ ଯୌତୁକ ଦେବା ପରେ ଆରିଫ୍‌ ଆୟେଶାଙ୍କୁ ଘରକୁ ନେଉଥିଲେ।

Share