Categories: ଜାତୀୟ

ପାକିସ୍ତାନରେ ଡୋଭାଲଙ୍କ ଅଫିସ୍‌ ଭିଡିଓ

ଜମ୍ମୁ, ୧୪।୨(ଆଇଏଏନ୍‌ଏସ୍‌): ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଛାମୁଆ ଗୋଷ୍ଠୀ ଜୈଶ-ଇ-ମୁସ୍ତାଫା (ଜେଇଏମ୍‌) ମୁଖ୍ୟ ହିଦାୟତୁଲ୍ଲା ମଲିକ୍‌ ଜେରା ବେଳେ ବିସ୍ଫୋରକ ତଥ୍ୟ ପ୍ରଘଟ କରିଛନ୍ତି। ଗତ ୬ ତାରିଖରେ ଜମ୍ମୁର ସଞ୍ଜଓ୍ବାନି ଅଞ୍ଚଳରୁ ଗିରଫ ହୋଇଥିବା ଏହି ଆତଙ୍କବାଦୀ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟର ଗୁପ୍ତ ଭିଡିଓ ପ୍ରସ୍ତୁତ କରି ପାକିସ୍ତାନ ପଠାଇଥିବା କହିଛନ୍ତି। ସେ ଦିଲ୍ଲୀର ଅନ୍ୟ କେତେକ ପ୍ରମୁଖ ସ୍ଥାନର ଭିଡିଓ ପାକିସ୍ତାନରେ ଥିବା ଜେଇଏମ୍‌ କମାଣ୍ଡରମାନଙ୍କ ପାଖକୁ ପଠାଇଛନ୍ତି। ଡୋଭାଲଙ୍କ କାର୍ଯ୍ୟାଳୟର ସୁରକ୍ଷା ବଢ଼ାଇ ଦିଆଯାଇଛି। ୨୦୧୬ ଉରି ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଡୋଭାଲ ଆତଙ୍କବାଦୀମାନଙ୍କ ମୁଖ୍ୟ ଟାର୍ଗେଟରେ ରହିଛନ୍ତି। ଶୋପିଆନ୍‌ର ଏହି ଆତଙ୍କବାଦୀଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନରେ ମାମଲା ରୁଜୁ ହୋଇଛି। ହିଦାୟତୁଲ୍ଲାଙ୍କ ସୂଚନା ଅନୁଯାୟୀ ଗତବର୍ଷ ମେ’ରେ ସେ ଦିଲ୍ଲୀ ଯାଇ ଡୋଭାଲଙ୍କ ଅଫିସ୍‌ର ଭିଡିଓ ରେକର୍ଡିଂ କରିଥିଲେ। ପରେ ସେ ହ୍ବାଟ୍ସଆପ୍‌ ମାଧ୍ୟମରେ ଉକ୍ତ ଭିଡିଓକୁ ପାକିସ୍ତାନୀ କମାଣ୍ଡରଙ୍କ ପାଖକୁ ପଠାଇଥିଲେ।

Share