Categories: ଜାତୀୟ

ଇଞ୍ଜିନିୟରରୁ ଡଗ୍‌ ବ୍ରିଡର

ଚେନ୍ନାଇ,୪।୧: ଘରେ ବିଦେଶୀ ବ୍ରିଡ୍‌ର କୁକୁର ରଖିବା ଏବେ ଟ୍ରେଣ୍ଡ୍‌ ପାଲଟିଛି। ଯେଉଁଥିଲାଗି ଏ ପ୍ରକାର କୁକୁରଙ୍କ ଚାହିଦା ବଢ଼ୁଥିବାବେଳେ ଦେଶୀ କୁକୁରଙ୍କୁ କେହି ପସନ୍ଦ କରୁନାହାନ୍ତି। ହେଲେ ଦେଶୀ କୁକୁର ପାଇଁ ତାମିଲନାଡ଼ୁର ସତିଶ ଏବେ ଜାତୀୟ ପୁରସ୍କାର ହାସଲ କରିଛନ୍ତି। ପେସାରେ ଇଞ୍ଜିନିୟର ସତିଶ ଏବେ ପାଲଟିଛନ୍ତି ଡଗ୍‌ ବ୍ରିଡ୍‌ର। ଏଥିଲାଗି ଡିସେମ୍ବରରେ ତାଙ୍କୁ ‘ବ୍ରିଡ୍‌ କନ୍‌ଜରଭେଶନ୍‌ ଆଓ୍ବାର୍ଡ ୨୦୨୨’ରେ ସମ୍ମାନିତ କରାଯାଇଛି।
ମଦୁରାଇର ଉସିଲାମପାଟ୍ଟିରେ ସତିଶ ଡଲିଜ୍‌ କେନ୍ନେଲ ନାମରେ ଏକ ଫାର୍ମ ହାଉସ୍‌ ଚଳାଉଛନ୍ତି। ଏକରରୁ ଊର୍ଦ୍ଧ୍ୱ ପରିମିତ ଜାଗାରେ ସେ ବନାଇଥିବା ଡଗ୍‌ ଫାର୍ମ ହାଉସ୍‌ରେ ୧୦୦ ପ୍ରଜାତିର ଦେଶୀ କୁକୁର ରହୁଛନ୍ତି। ଅରୁଲ ଏବଂ ପଦ୍ମାବତୀଙ୍କ ସାନ ପୁଅ ସତିଶ। ଉସିଲାମପାଟ୍ଟି ଟକୁଲ ଥାନାରେ ଅରୁଲ କାର୍ଯ୍ୟ କରନ୍ତି। ସତିଶ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ। ମହାମାରୀ କୋଭିଡ୍‌ ଯୋଗୁ କମ୍ପାନୀ ଓ୍ବାର୍କ ଫର୍ମ ହୋମ୍‌ ଲାଗୁ କରିବାରୁ ସତିଶ ମଦୁରାଇସ୍ଥିତ ତାଙ୍କ ଗାଁକୁ ଚାଲିଆସିଥିଲେ। ବ୍ରିଡ୍‌ (ପଶୁ ପ୍ରଜନନ) ବିଷୟରେ ସେ ଆଗରୁ ଅବଗତ ଥିବାବେଳେ ଘରେ ରହି ଅବସର ସମୟରେ କୁକୁର ବ୍ରିଡ୍‌ ଉପରେ କାମ କରିବା ଆରମ୍ଭ କଲେ। ବିଦେଶୀ କୁକୁର ବଦଳରେ ଦେଶୀ କୁକୁରଙ୍କୁ ନେଇ ସତିଶ ବ୍ରିଡିଂ କରିବା ପରେ ଏ ନେଇ ସେ ନିଜସ୍ବ ଏକ ଫାର୍ମ ହାଉସ୍‌ ତିଆରି କଲେ।
ସତିଶଙ୍କ ପାଖରେ ରାଜାପାଲାୟମ୍‌, ଛିପ୍ପିପରାଇ, କାନ୍ନି, କୋମ୍ବାଇ (ତାମିଲନାଡୁର ଦେଶୀ ପ୍ରଜାତି କୁକୁର) ଭଳି ଅନେକ ପ୍ରଜାତି ଉପଲବ୍ଧ। ଫାର୍ମରେ ପ୍ରତ୍ୟେକ କୁକୁର ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠର ସୁବିଧା ରହିଛି। ଇଞ୍ଜିନିୟରିଂ ତାଙ୍କ ପେସା ହୋଇଥିବାବେଳେ ଡଗ୍‌ ବ୍ରିଡ୍‌ କରିବା ତାଙ୍କୁ ଆତ୍ମସନ୍ତୋଷ ଦେଉଥିବା ସତିଶ କହିଛନ୍ତି। ଇଞ୍ଜିନିୟରିଂ ଡିଗ୍ରୀ ସାରିବା ପରେ ସେ ରାଜାପଲାୟମ୍‌, କୋମ୍ବାଇ ଏବଂ ଛିପ୍ପିପରାଇ ପ୍ରଜାତି କୁକୁର ଆଣି ଘରେ ପ୍ରଥମେ ବ୍ରିଡିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ଘରେ ଏତେ ସଂଖ୍ୟକ କୁକୁର ରଖିବା ସମ୍ଭବପର ହୋଇ ନ ଥିବାବେଳେ ଏ ନେଇ ତାଙ୍କୁ ଏକ ଫାର୍ମ ହାଉସ୍‌ ତିଆରି ପାଇଁ ଘରଲୋକ ପ୍ରସ୍ତାବ ଦେଇଥିଲେ। ଫାର୍ମ ହାଉସ୍‌ ଦେଖାଶୁଣା କରିବା ଲାଗି ସତିଶ ୪ ଜଣଙ୍କୁ ରଖିଥିବାବେଳେ କୁକୁରଙ୍କ ପିଛା ମାସିକ ୫୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଦେଶୀ କୁକୁର ୬,୦୦୦ରୁ ୧୫,୦୦୦ ଟଙ୍କାରେ ବିକ୍ରି କରାଯାଉଛି। ବିଦେଶୀ କୁକୁର ବଦଳରେ ଦେଶୀ କୁକୁର ଚାହିଦା ବଢ଼ାଇବା ଲାଗି ସତିଶ ଚାହୁଁଥିବା କହିଛନ୍ତି।

Share