‘ପୁଟିନ୍‌ ଜୀବିତ ଥିବା ସନ୍ଦେହ’

ଡାଭୋସ୍‌,୨୧।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଜୀବିତ କି ମୃତ ଜଣାନାହିଁ ବୋଲି ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ରୁଷିଆ ଓ ପୁଟିନ୍‌ ନ ରହନ୍ତୁ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଚାହୁଁଥିବା ଏହାର ଜବାବରେ ରୁଷୀୟ ନେତାମାନେ କହିଛନ୍ତି। ସୁଇଜରଲାଣ୍ଡର ଡାଭୋସ୍‌ରେ ଚାଲିଥିବା ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ୫୩ତମ ସମ୍ମିଳନୀକୁ ଗୁରୁବାର ଭର୍ଚୁଆଲି ସମ୍ବୋଧନ କରି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ବୁଝିହେଉ ନାହିଁ କାହା ସାଙ୍ଗରେ ଓ କେଉଁ ବିଷୟରେ ଆଲୋଚନା କରାଯିବ। ବେଳେବେଳେ ଟିଭି ପରଦାରେ ମୁହଁ ଦେଖାଉଥିବା ଏବେ ପୁଟିନ୍‌ ଜୀବିତ ଥିବା ସମ୍ପର୍କରେ ସେ ଜାଣିନାହାନ୍ତି। ରୁଷିଆରେ କିଏ ନିଷ୍ପତ୍ତି ନେଉଛନ୍ତି ତାହା ମଧ୍ୟ ଜଣାନାହିଁ। କାରଣ ମସ୍କୋ ୟୁରୋପୀୟ ନେତାମାନଙ୍କୁ ଯୁଦ୍ଧ ବନ୍ଦର ପ୍ରତିଶ୍ରୁତି ଦେବାର ପରଦିନ ପୁଣି ଆକ୍ରମଣ କରୁଛି। ଏସବୁ କିଏ କରାଉଛି। କାହା ସାଙ୍ଗରେ ଶାନ୍ତି ଆଲୋଚନା କରିବେ ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି। ଜେଲେନ୍‌ସ୍କିଙ୍କ ଭାଷଣର କିଛି ସମୟ ପରେ କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ଏକ ନ୍ୟୁଜ୍‌ ଚ୍ୟାନେଲକୁ କହିଛନ୍ତି, ଉଭୟ ରୁଷିଆ ଓ ପୁଟିନ୍‌ ୟୁକ୍ରେନ୍‌ ତଥା ଜେଲେନ୍‌ସ୍କିଙ୍କ ପାଇଁ ବଡ଼ ସମସ୍ୟା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ରୁଷିଆ ତିଷ୍ଠି ନ ରହୁ ଏବଂ ପୁଟିନ୍‌ ଜୀବିତ ନ ରୁହନ୍ତୁ ବୋଲି ଜେଲେନ୍‌ସ୍କି ଚାହୁଁଛନ୍ତି।

Share