ସନ୍ଦେହ ଘେରରେ ସ୍ପୁଟ୍‌ନିକ୍‌ ଭି

ନୂଆଦିଲ୍ଲୀ, ୧୩।୮: କରୋନା ମହାମାରୀର ମୁକାବିଲା ଲାଗି ରୁଷିଆ ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହାର ନିରାପତ୍ତାକୁ ନେଇ ସାରା ବିଶ୍ୱରୁ ପ୍ରଶ୍ନ ଉଠିବାରେ ଲାଗିଛି। ମସ୍କୋର ଗାମଲେୟା ଇନ୍‌ଷ୍ଟିଚ୍ୟୁଟ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ‘ସ୍ପୁଟ୍‌ନିକ ଭି’ ନାମକ ଏହି ଟିକାର ବିକାଶ କରିଥିବାବେଳେ ମାତ୍ର ୨ ମାସର ପରୀକ୍ଷା ପରେ ଏହାକୁ ବ୍ୟବହାର ଲାଗି ଅନୁମତି ମିଳିଛି। ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଉତ୍ପାଦନକାରୀ ଭାବେ ଦାବି କରିବା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷା ପୂର୍ବରୁ ରୁଷିଆ ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଥିବା ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଏହି ଟିକାର ନିରାପତ୍ତା ଓ ପ୍ରଭାବକୁ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ବ୍ୟାପକ ପରିମାଣର ଟିକା ଉତ୍ପାଦନ କରିବା କ୍ଷମତା ଭାରତର ରହିଛି ବୋଲି ସେ କହିଛନ୍ତି। ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିବା ଉଚିତ ନୁହେଁ। ଏହା ଉତ୍ତମ ରୋଗ ପ୍ରତିରୋଧ କ୍ଷମତା ପ୍ରଦାନ କରିବା ସହ ସୁରକ୍ଷା ଦେବା ଆବଶ୍ୟକ।
ରୁଷିଆ ଆଡେନୋଭାଇରସ୍‌ ଆଧାରିତ ଭାଇରାଲ ଭେକ୍ଟର ଟିକା ପ୍ରସ୍ତୁତ କରିଛି। ଏହା ସାଧାରଣ ଥଣ୍ଡା ରୋଗ ଭୂତାଣୁ। ଗାମାଲେୟା ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଆଲେକ୍‌ଜାଣ୍ଡାର ଗିଣ୍ଟ୍‌ସବର୍ଗଙ୍କ ମତରେ ଟିକାରେ ଥିବା କରୋନା ଭୂତାଣୁ କଣିକା ବଂଶବିସ୍ତାର କରିପାରୁ ନ ଥିବାରୁ ଏହା ଶରୀରର କୌଣସି କ୍ଷତି କରିବ ନାହିଁ। କରୋନା ସଂକ୍ରମଣ ବିରୋଧରେ ଶରୀରରେ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହି ଟିକାର ଦୁଇଟି ଡୋଜ୍‌ ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମଚାରୀ ଓ ଶିକ୍ଷକଙ୍କୁ ଟିକା ଦିଆଯିବା ପରେ ଅକ୍ଟୋବରରେ ସାରା ଦେଶରେ ଟିକାକରଣ ପାଇଁ ରୁଷିଆ ଯୋଜନା କରିଛି। ତେବେ ଟିକାର ମାନବ ପରୀକ୍ଷା ଫଳାଫଳ ସମ୍ପର୍କରେ ରୁଷିଆ ଏପର୍ଯ୍ୟନ୍ତ କୌଣସି ଦସ୍ତାବିଜ୍‌ ପ୍ରକାଶନ କରିନାହିଁ।
ସ୍ପୁଟ୍‌ନିକ ଭି ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଜୁନ୍‌ ୧୭ରେ ଆରମ୍ଭ ହୋଇଥିଲା, ଯେଉଁଥିରେ ୭୬ ସ୍ବେଚ୍ଛାସେବୀ ଭାଗ ନେଇଥିଲେ। ପ୍ରଥମ ଡୋଜ୍‌ ନେବାର ୨୧ ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା। ଏହା ରୋଗ ପ୍ରତିରୋଧକ କ୍ଷମତା ଦୁଇଗୁଣ ବଢ଼ାଇଥିବା ରୁଷିଆ ବିଶେଷଜ୍ଞ ଦାବି କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଜୁଲାଇ ୧୩ରେ ଆରମ୍ଭ ହୋଇଥିବାବେଳେ ବିଶ୍ୱର ପ୍ରଥମ ଟିକା ସଫଳ ହୋଇଛି ବୋଲି ଅଗଷ୍ଟ ୩ରେ ରୁଷିଆ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ତେବେ କେଉଁ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି, ସେ ନେଇ ରୁଷିଆ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଅନୁମୋଦନ ମିଳିବା ପରେ ଟିକାର ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ହେବ ବୋଲି ଖବର ପ୍ରକାଶ ପାଇଛି। ଟିକାର ଉପଯୁକ୍ତ ନିରାପତ୍ତା ଓ ସାମର୍ଥ୍ୟ ପରୀକ୍ଷା ହୋଇ ନ ଥିବା ଆମେରିକୀୟ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଟିକାର ନିରାପତ୍ତା ଓ ପ୍ରଭାବକୁ ସାବଧାନତାର ସହିତ ମୂଲ୍ୟାୟନ କରାଯିବା ଆବଶ୍ୟକ ବୋଲି ଉକ୍ତ ସଂଗଠନର ଉପନିର୍ଦ୍ଦେଶକ ଜାରବାସ ବାର୍ବୋସା କହିଛନ୍ତି।

Share