Categories: ଖେଳ

ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ

ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍‌ (୬୧ କିଲୋଗ୍ରାମ୍‌ କାଟେଗୋରି) ନାମକ ଜଣେ ଭାରୋତ୍ତୋଳକଙ୍କୁ ୮ବର୍ଷ ବାସନ୍ଦ କରାଯାଇଛି। କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘ ତରଫରୁ ବୁଧବାର ଏ ବିଷୟରେ ସୂଚନା ଦିଆଯାଇଛି। ଡୋପିଂ ପାଇଁ ସନ୍‌ଙ୍କ ବ୍ୟତୀତ ଦେଶର ଅନ୍ୟ ୫ଜଣ ବାସନ୍ଦ ହୋଇଛନ୍ତି। କାଜାଖସ୍ତାନର ଡୋପିଂ ବିରୋଧୀ କର୍ତ୍ତୃପକ୍ଷ ଏହି ୬ଜଣ ଭାରୋତ୍ତୋଳକ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା କଥା ୨୦୨୨ରେ ପ୍ରଥମେ ରିପୋର୍ଟ କରିଥିଲେ। ଡୋପିଂ ଅଭିଯୋଗରେ ସନ୍‌ ଦ୍ୱିତୀୟ ଥର ବାସନ୍ଦ ଦଣ୍ଡ ପାଇଛନ୍ତି। ପୂର୍ବରୁ ୨୦୧୫ରେ ତାଙ୍କୁ ୭ ମାସ ବାସନ୍ଦ କରାଯାଇଥିଲା। ତାଙ୍କଠାରୁ କିନ୍ତୁ ଅଲିମ୍ପିକ ପଦକ ପ୍ରତ୍ୟାହାର କରାଯିବ ନାହିଁ। କାରଣ ସନ୍‌ ଅଂଶଗ୍ରହଣ କରିଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକର ୬ମାସ ପୂର୍ବରୁ ପ୍ରତିଯୋଗିତା ବାହାରେ ଡୋପ୍‌ ଟେଷ୍ଟ ହୋଇଥିଲା ବୋଲି କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘର ସାଧାରଣ ସମ୍ପାଦକ ଅଲ୍‌ଦିୟାର ନୁରାଲିନୋଭ ପ୍ରକାଶ କରିଛନ୍ତି। ଏଲିଟ୍‌ ସ୍ତରରେ ଡୋପିଂକୁ ନେଇ କାଜାଖସ୍ତାନର ଏକ ଲମ୍ବା ଇତିହାସ ରହିଛି। ବିଭିନ୍ନ କ୍ଷେତ୍ରରେ ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ପାଇଁ ଦେଶର କେତେଜଣ ପ୍ରତିଯୋଗୀଙ୍କୁ ୨୦୦୮, ୨୦୧୨ ଓ ୨୦୧୬ ଅଲିମ୍ପିକ୍ସ ପଦକ ହରାଇବାକୁ ପଡ଼ିଛି। ନୁରାଲିନୋଭ କହିଛନ୍ତି, ଏଥର କିନ୍ତୁ ତାହା ଘଟିବ ନାହିଁ, କାରଣ ସନ୍‌ ଏବଂ ଅନ୍ୟ ଆଥଲେଟମାନଙ୍କର କାଜାଖସ୍ତାନ ଭିତରେ ଜାତୀୟସ୍ତର ଟେଷ୍ଟ ହୋଇଥିଲା, କୌଣସି ଅନ୍ତର୍ଜାତୀୟ ଇଭେଣ୍ଟରେ ନୁହେଁ।

Share