ଗଛକଟା ବିରୋଧରେ ଜିଲା ପ୍ରଶାସନର ଦ୍ୱାରସ୍ଥ

ସମ୍ବଲପୁର,୧୮ା୧୦(ବ୍ୟୁରୋ): ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ମାଫିଆମାନେ ବେଆଇନ ଗଛ କାଟି ବାହାରକୁ ଚାଲାଣ କରୁଛନ୍ତି। ହେଲେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରୁଛି। ଯୁଯୁମୁରା ବ୍ଲକର ଫଟାବାହାଲ ଅଞ୍ଚଳବାସୀ ଏହା ବିରୋଧରେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ କ୍ରମେ ଫଟାବାହାଲ, କବରାପାଲି, ଦେଦର ନୂଆପାଲି ଓ କୁଟୁରାଜୁରି ଗ୍ରାମରେ ଲୋକେ ସଂରକ୍ଷିତ ଜଙ୍ଗଲରେ ଗଛଗୁଡିକୁ ସୁରକ୍ଷା ଦେଇଆସୁଥିଲେ। ହେଲେ ଜଣେ ବ୍ୟକ୍ତି ନିଜ ରୟତି ଜମି କହି ଉକ୍ତ ଜଙ୍ଗଲରୁ ଗଛ କାଟି ଚାଲିଛନ୍ତି। କିଛିଦିନ ତଳେ ଏହାକୁ ବିରୋଧ କରାଯିବାରୁ ଗଛ କାଟୁଥିବା ଲୋକେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଏକ ବୈଠକ ହୋଇଥିଲା। ଶରତ ଚନ୍ଦ୍ର ସାହୁ, କବରାପାଲି ସରପଞ୍ଚ ଅନ୍ତର୍ଯାମୀ ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟା ବନିତା ଓରାମ, ଅଞ୍ଚଳର ଜନପ୍ରତିନିଧି, ୪ ଗୋଟି ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଉପରେ ବନବିଭାଗ ଓ ତହସିଲଦାରଙ୍କ ସହ ଆଲୋଚନା କରାଯିବ। ନିୟମ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।