Categories: ଜାତୀୟ

କଂଗ୍ରେସ ସହିତ ବୁଡ଼ିବାକୁ ଚାହେଁନା, ପିକେଙ୍କ ମନ୍ତବ୍ୟ…

ବୈଶାଳୀ, ୩୧।୫ : କିଛି ଦିନ ତଳେ କଂଗ୍ରେସରେ ଯୋଗଦେବାକୁ ଆସିଥିବା ଏବଂ ଦଳର ସଫଳତା ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ)ଙ୍କ ମନ୍ତବ୍ୟରେ ଏବେ ୟୁଟର୍ନ ଦେଖିବାକୁ ମିଳିଛି। ପିକେ କହିଛନ୍ତି ଯେ, କଂଗ୍ରେସ ଏକ ବୁଡୁଥିବା ଦଳ। ଏଭଳି ଦଳ ସହିତ ମୁଁ ବୁଡ଼ିବାକୁ ଚାହେଁନା। ସେ କହିଛନ୍ତି ୨୦୧୧ରୁ ୨୦୨୧ ପର୍ଯ୍ୟନ୍ତ ମୁଁ ୧୧ଟି ନିର୍ବାଚନ ସହିତ ଜଡ଼ିତ ରହିଛି।

ତେବେ ସେଥିମଧ୍ୟରୁ ଉତ୍ତରପ୍ରଦେଶରେ କେବଳ କଂଗ୍ରେସକୁ ସହାୟତା କରିବାକୁ ଯାଇ ନିର୍ବାଚନ ଲଢ଼ି ପରାଜିତ ହୋଇଛି। ସେହିଦିନଠାରୁ ମୁଁ ନିଷ୍ପତ୍ତି ଗ୍ରହଣ କରିଥିଲି ଯେ, କଂଗ୍ରେସ ସହିତ ଆଉ ମିଳିତ ଭାବେ କାମ କରିବି ନାହିଁ। କଂଗ୍ରେସ ମୋର ଟ୍ରାକ୍‌ ରେକର୍ଡ ଖରାପ କରି ଦେଇଥିବା ପିକେ କ୍ଷୋଭ ପ୍ରକାଶ କରିଛନ୍ତି।
ବିହାରର ବୈଶାଳୀରେ ପିକେ ଏକ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସେ ବିଭିନ୍ନ ନିର୍ବାଚନରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ସହିତ କିଭଳି କାମ କରିଛନ୍ତି ସେ ସମ୍ପର୍କରେ ସୂଚନା ପ୍ରଦାନ କରି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି।

୨୦୧୭ରେ ସେ ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ସହିତ କାମ କରି ବିଫଳ ହୋଇଥିବା କହିଛନ୍ତି। ଏହି ପରାଜୟ ତାଙ୍କ ସଫଳତା ପଥକୁ କଳଙ୍କିତ କରିଥିବା ପିକେ ହାତଯୋଡ଼ି ପ୍ରକାଶ କରିଛନ୍ତି।

 

ପିକେ ଜନସମ୍ପର୍କ କାର୍ଯ୍ୟକ୍ରମରେ ବିହାର ଏବଂ ଉତ୍ତରପ୍ରଦେଶ ଗସ୍ତ କରିବା ପରେ ଅକ୍ଟୋବର ୨ରୁ ଚମ୍ପାରଣରୁ ପଦଯାତ୍ରା ଆରମ୍ଭ କରିବେ।

 

Share