‘ନକଲି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ନାହିଁ’

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନରେ ନକଲି ଏସ୍‌ସି, କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଉଠିଛି। ସଂରକ୍ଷଣକୁ ହଡ଼ପ କରିଥିବା ନକଲି ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ଦଳିତ ଆଦିବାସୀ ଗରିବ ନିଃସହାୟ ମହିଳାଙ୍କ କଲ୍ୟାଣ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଓଡ଼ିଶାର ଭୋଟରଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ମିଳିତ ଭାବେ ଅନୁରୋଧ କରାଯାଇଛି।

ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ସର୍ବଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ସଂଘ ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍‌ ଓଡ଼ିଶା ଦଳିତ ସାମାଜିକ କଲ୍ୟାଣ ପରିଷଦ, ବାଲ୍ମୀକି ସମାଜ, କାଳନ୍ଦୀ ସମାଜ, ପାସି ସମାଜ ଆଦି ବହୁ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ। ଏଥି ସହିତ ରାଜ୍ୟ ସରକାର, ରାଜନୈତିକ ଦଳ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଆଉ କେତେକ ଦାବି ରଖାଯାଇଥିଲା। ସମ୍ମିଳନୀରେ ଲକ୍ଷ୍ମୀଧର ବେହେରା, ଅଶୋକ ନାୟକ, ଦିବାକର ମଲ୍ଲିକ, ଗୋପାଳ ନାୟକ, ଶର୍ମିଷ୍ଠା ସ୍ବାଇଁ, ଦାମୋଦର ମଲ୍ଲିକ, କାହ୍ନୁଚରଣ ସେଠୀ ଓ ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।