Categories: ଜାତୀୟ

କୃଷି ଆଇନକୁ ନେଇ ପୁଣିଥରେ ଚିନ୍ତା କରନ୍ତୁ ସରକାର: ପାୱାର

ନୂଆଦିଲ୍ଲୀ,୧୧ ।୧୨: କୃଷି ଆଇନକୁ ବିରୋଧ କରି ଏପର୍ଯ୍ୟନ୍ତ ବିଭିନ୍ନ କୃଷକ ସଙ୍ଗଠନ ଆନ୍ଦୋଳନରେ ବସିଛନ୍ତି । ଦୀର୍ଘ ୧୫ ଦିନ ହେବ ଏମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାର ବି ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି କହିଲେ ଚଳେ । ଇତିମଧ୍ୟରେ ବିରୋଧି ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଉପଦେଶ ମଧ୍ୟ ଦେଉଥିବା ଦେଖାଯାଇଛି । ଶୁକ୍ରବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ତଥା ପୂର୍ବତନ କୃଷି ମନ୍ତ୍ରୀ ଶରଦ ପାୱାର କହିଛନ୍ତି କୃଷି ଆଇନକୁ ନେଇ ସରକାର ପୁଣିଥରେ ଚିନ୍ତା କରନ୍ତୁ । ସେ କହିଛନ୍ତି ବିନା ଆଲୋଚନାରେ ଏହି କୃଷି ଆଇନକୁ ପାସ୍ କରାଯାଇଛି । ହେଲେ ସମସ୍ତେ କହିଥିଲେ ଏହା ଉପରେ ଚର୍ଚ୍ଚା କରାଯାଉ । କିନ୍ତୁ ବିରୋଧିଙ୍କ କଥା ନ ଶୁଣି ସରକାର ତରବରିଆ ଭାବେ ଏହାକୁ ପାସ୍ କରିଦେଇଥିବା ପାୱାର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହା ଭାବିବା ଭୁଲ ଯେ ସରକାର କୃଷକଙ୍କ କଥା ଶୁଣିବା ମୁଡ୍‌ରେ ନାହନ୍ତି । ଯଦି ସରକାର କୃଷକଙ୍କ କଥା ନ ଶୁଣନ୍ତି ତେବେ ଏହି ଆନ୍ଦୋଳନ ଦେଶସାରା ବ୍ୟାପିଯିବ । ତେଣୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି କୃଷକଙ୍କ ଧୈର୍ଯ୍ୟର ପରୀକ୍ଷା ନ ନେଇ ପୁଣିଥରେ କୃଷି ଆଇନ କଥା ସରକାର ଚିନ୍ତା କରନ୍ତୁ ।

Share