Categories: ଖେଳ

ଅନ୍ୟ ଉପରେ ନିଜ ମତ ଲଦେ ନାହିଁ: ରାବାଡ଼ା

ଦୁବାଇ,୨୩।୧୦(ପି.ଟି.): ଖୋଲାଖୋଲି ମନ୍ତବ୍ୟ ଦେବା ନେଇ ପରିଚିତ ଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡ଼ା ଅନ୍ୟ ଉପରେ ନିଜ ମତ ଲଦି ଦିଅନ୍ତି ନାହିଁ ବୋଲି କହିଛନ୍ତି। ଏଥି ସହିତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପିତା ବିବେଚିତ ହେଉଥିବା ନେଲସନ ମାଣ୍ଡେଲା ତାଙ୍କ ବ୍ୟକ୍ତିଗତ ଜୀବନ ଓ କ୍ରୀଡ଼ା ଜୀବନକୁ ବେଶ୍‌ ପ୍ରଭାବିତ କରିଛନ୍ତି ବୋଲି ସେ କହିଛନ୍ତି। ମଣ୍ଡେଲାଙ୍କ ଦର୍ଶନରେ ପ୍ରଭାବିତ ହୋଇ ସେ ନିଜକୁ ଏକ ସଫଳ କ୍ରୀଡ଼ାବିତ୍‌ରେ ପରିଣତ କରିଛନ୍ତି। ସ୍ବଧୀନତା ସହିତ ମୌଳିକ ଆବଶ୍ୟକତା ପାଇଁ ମଣ୍ଡେଲା ସାରା ଜୀବନ ଲଢ଼େଇ କରିଥିଲେ। ଯେପରି କୌଣସି ବ୍ୟକ୍ତି ନିଜକୁ ହେୟ ମନେ କରିବ ନାହିଁ ସେ ସେଥିପାଇଁ ସଂଘର୍ଷ କରିଥିଲେ। ମନର ସ୍ବତନ୍ତ୍ରତା ନିହାତି ଜରୁରୀ। ଜଣେ କ୍ରୀଡ଼ାବିତ୍‌ ଭାବେ ଏହି ବାର୍ତ୍ତା ସମସ୍ତଙ୍କୁ ଦେବାକୁ ଚାହେଁ। କ୍ରିକେଟ ଏଥିପାଇଁ ଆମକୁ ମଞ୍ଚ ଓ ଦାୟିତ୍ୱ ପ୍ରଦାନ କରିଛି। ଠିକ୍‌ କାରଣ ପାଇଁ ଆମେ ଲଢ଼େଇ କରିବା ଆବଶ୍ୟକ। କିନ୍ତୁ ଅନ୍ୟ ଉପରେ ନଜ ମତ ଲଦି ଦେବାକୁ ଆଦୌ ପସନ୍ଦ କରେନାହିଁ ବୋଲି ଏକ ଭର୍ଚୁଆଲ ଖବରଦାତା ସମ୍ମଳନୀରେ ରାବାଡ଼ା କହିଛନ୍ତି। ଦିଲ୍ଲ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାରଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଛନ୍ତି। ତାଙ୍କ ନେତୃତ୍ୱରେ ଦିଲ୍ଲୀ ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛି। ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ବିବେଚିତ ହେଉଥିବା ରାବାଡ଼ା ଚଳିତ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୨୧ଟି ଉଇକେଟ ଅକ୍ତିଆର କରିଛନ୍ତି ଓ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି।

Share