ତଳେ ରଖିବେ ନାହିଁ କେଉଁ ପୂଜା ସାମଗ୍ରୀ

ପୂଜା କରିବା ସମୟରେ ଜାଣତରେ ହେଉ ଅବା ଅଜାଣତରେ ଆମେ କିଛି ପୂଜା ସାମଗ୍ରୀକୁ ତଳେ ଥୋଇ ଦେଇଥାଉ; ଯଦ୍ଦ୍ବାରା ଏହାର ଅନେକ ନକାରାତ୍ମକ ପ୍ରଭାବ ଆମ ପରିବାର ଉପରେ ପଡିଥାଏ। ଆସନ୍ତୁ ଜାଣିବା ସେ ନେଇ କିଛି ଟିପ୍ସ..
ଜଳନ୍ତା ଦୀପକୁ କେବେ ବି ଖାଲିରେ ତଳେ ଥୋଇବେ ନାହିଁ। ଅଳ୍ପ କିଛି ଅରୁଆ ଚାଉଳ ରଖି ତା’ଉପରେ ଦୀପ ଥୋଇବେ ନଚେତ୍‌ କାଠର ଦୀପଷ୍ଟାଣ୍ଡ କରି ତା’ଉପରେ ଦୀପକୁ ଜଳାଇପାରିବେ।
ସେହିପରି ଶାଳଗ୍ରାମଙ୍କୁ ମଧ୍ୟ କେବେ ବି ଖାଲିରେ ତଳେ ନ ରଖି ସର୍ବଦା ସଫା ରେଶମୀ କପଡ଼ା ଉପରେ ରଖିବା ଉଚିତ।
ଯଦି ଆପଣ ପୂଜା ଘରେ କୌଣସି ମଣି କିମ୍ବା ରତ୍ନ ପଥରକୁ ରଖିବାକୁ ଚାହୁଁଥାନ୍ତି, ତା’ହେଲେ ତାହାକୁ ମଧ୍ୟ ସଫା କପଡ଼ା ଉପରେ ରଖିବା ଦରକାର।
ଦେବୀଦେବଙ୍କର ମୂର୍ତ୍ତିକୁ ସର୍ବଦା କାଠ କିମ୍ବା ପିତଳର ଖଟୁଲି ହେଉ କିମ୍ବା କୌଣସି ଆସ୍ଥାନ ଉପରେ ନାଲି ରଙ୍ଗର ସଫା କପଡ଼ା ପକାଇ ତା’ଉପରେ ରଖିବା ଉଚିତ।
କେବଳ ମୂର୍ତ୍ତି ନୁହେଁ, ଦେବୀଦେବଙ୍କର ବସ୍ତ୍ର ଓ ଆଭୂଷଣକୁ ମଧ୍ୟ ଚଟାଣ ଉପରେ ସେମିତି ଥୋଇବା ଉଚିତ ନୁହେଁ। କାରଣ ଭଗବାନଙ୍କୁ ସର୍ବଦା ସ୍ବଚ୍ଛ ଓ ପବିତ୍ର ବସ୍ତ୍ର ଅର୍ପଣ କରାଯାଇଥାଏ।
ଶଙ୍ଖକୁ ମଧ୍ୟ ଖାଲିରେ ତଳେ ନ ଥୋଇ କାଠ କିମ୍ବା ପିତଳର ଶଙ୍ଖ ଷ୍ଟାଣ୍ଡ ଅବା ସଫା କପଡ଼ା ଉପରେ ରଖିପାରିବେ।
ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଫୁଲକୁ ବି ତଳେ ନ ରଖି କୌଣସି ପବିତ୍ର ଧାତୁ କିମ୍ବା ସ୍ବଚ୍ଛ ପାତ୍ରରେ ରଖିବା ଦରକାର।
ପାଣି ରଖାଯାଉଥିବା କଳସକୁ ମଧ୍ୟ ଖାଲି ଚଟାଣରେ ନ ରଖି ପିତଳ ଥାଳି ଉପରେ ରଖିପାରିବେ।