ଧାନ ଉଠୁନି, ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୭।୧୨: ବରଗଡ଼ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇ ନ ପାରି ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହୁଛି। ଏଭଳି ଅଭିଯୋଗ ନେଇ ସୋମବାର ଭେଡ଼େନ ବ୍ଲକ ସାହ୍ଲେପାଲି ଗ୍ରାମର ଚାଷୀମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁମତୀ ପଣ୍ଡାଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସାହ୍ଲେପାଲି ମଣ୍ଡିରେ ୧୨ହଜାର ପ୍ୟାକେଟ୍‌ ଧାନ ପଡ଼ିରହିଥିଲେ ସୁଦ୍ଧା ତାକୁ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସହକାରୀ ଜିଲା ଯୋଗାଣ ଅଧିକାରୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ୩ ଦିନ ମଧ୍ୟରେ ଧାନ ଉଠାଯିବ ବୋଲି ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।