ବିବାହ ପରେ ଆଦୌ କରନ୍ତୁନି ଏପରି ଭୁଲ, ନଚେତ୍‌…

ବିବାହ ପରେ ଝିଅମାନେ ଶାଶୁଘରକୁ ଯିବା ପରେ ଜୀବନରେ କିଛି ପରିବର୍ତ୍ତନ ଆସିଥାଏ। ଅଜଣା, ଅଚିହ୍ନା ଲୋକଙ୍କୁ ନିଜର କରି ଚଳିବାକୁ ପଡ଼ିଥାଏ। ବ୍ୟବହାର, ଚାଲିଚଳନ, କାମରେ ସନ୍ତୁଳନ ରକ୍ଷା କରି ଚାଲିବାକୁ ପଡ଼େ। ଏଥିରେ ବ୍ୟତିକ୍ରମ ହେଲେ ଶାଶୁଘରେ ଝଡ଼ ଉଠେ। ଏପରିକି ବିବାହ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେବେ ଝିଅଟି ଶାଶୁଘରେ କେମିତି ଚଳିଲେ ଘର ବୈକୁଣ୍ଠପୁର ସହ ସମାନ ହେବ ଜାଣନ୍ତୁ ସେ ବିଷୟରେ…

ଅଭିଯୋଗ କରିବା:

ଝିଅମାନେ ସାଧାରଣତଃ ବାପଘରେ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ଥିଲେ। ସେଠି ଯାହା କରୁଥିଲେ ଚଳିଯାଉଥିଲା। ମାତ୍ର ଶାଶୁଘରକୁ ଆସିବା ପରେ ବାପଘରେ ଯାହା କରୁଥିଲେ ତାହା କରିବା ଉଚିତ୍‌ ନୁହେଁ। ଶାଶୁଘରେ ସମସ୍ତଙ୍କୁ ଆପଣାର କରି ଚଳିବା ଉଚିତ୍‌। ପ୍ରତିଟି କଥାରେ କାହା ନାଁରେ ଅଭିଯୋଗ କରିବା ଠିକ୍‌ ନୁହେଁ। ଛୋଟମୋଟ କଥାକୁ ନେଇ କଳି କରିବା ଅନୁଚିତ।

ମୋବାଇଲ ଦେଖିବା:

ଆଜିକାଲି ଡିଜିଟାଲ ଯୁଗ। ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍‌ ଫୋନ୍‌। ଝିଅଟିଏ ନୂଆ କରି ବୋହୂ ହୋଇ କାହା ଘରକୁ ଯାଇଥିଲେ ମୋବାଇଲରେ ଅଧିକ ସମୟ ନ ବିତାଇ ଘର ଲୋକଙ୍କୁ ଟାଇମ୍‌ ଦିଅନ୍ତୁ। ନଚେତ୍‌ ଏହା ଘରେ କଳିମଞ୍ଜି ସୃଷ୍ଟି କରିଥାଏ।

ଅଧିକ ଖର୍ଚ୍ଚ ନ କରିବା:

ଆପଣଙ୍କୁ ପ୍ରଥମେ ବୁଝିବାକୁ ହେବ ଶାଶୁଘରେ କ’ଣ କେମିତି ଖର୍ଚ୍ଚ ହୁଏ। ଯଦି ଆପଣ ଅଧିକ ଖର୍ଚ୍ଚି ହୋଇଥିବେ ତେବେ ଶାଶୁଘରେ ପଇସା ମାମଲାକୁ ନେଇ ଝଡ଼ ଉଠିବ। ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିବେ। ନଚେତ୍‌ ଏହା ପରିବାର ଲୋକଙ୍କ ନଜରକୁ ଆସିଲେ ଅଯଥାରେ କଳିର ରୂପ ନେବ।