ବରଗଡ,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଛି। କିନ୍ତୁ ଆରମ୍ଭରୁ ଧାନ ବିକ୍ରିବଟା ଶୀଥିଳ ହୋଇ ପଡ଼ିଛି। ଜିଲାରେ ଖୋଲିଥିବା ମଣ୍ଡି ଗୁଡ଼ିକୁ ଧାନ ଆସୁଛି। ହେଲେ ମିଲର୍ସମାନେ ନିୟମିତ ଆସୁ ନାହାନ୍ତି। ଫଳରେ ମଣ୍ଡିରେ ସଂଗୃହୀତ ଧାନ ପର୍ଯ୍ୟାପ୍ତଭାବେ କିଣାଯାଇ ପାରୁ ନାହିଁ କିମ୍ବା ତାର ଉଠାଣ ମଧ୍ୟ ହେଉ ନାହିଁ। ଏଭଳି ସ୍ଥିତିରେ ମଣ୍ଡି ଗୁଡ଼ିକରେ ବିକ୍ରି ଅପେକ୍ଷାରେ ରହିଥିବା ଧାନ ପରିମାଣ ଦିନକୁ ଦିନ ଯଥେଷ୍ଟ ମାତ୍ରାରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲୁ ନଥିବାରୁ ସେଠାକାର ଧାନ ବେପାରୀ ଜରିଆରେ ବରଗଡ଼ ଜିଲାକୁ ପଶିବା ଏବଂ କେତେକ ନିର୍ଦ୍ଦିଷ୍ଟ ଜାଗା ତଥା ମିଲ୍ରେ ରଖାଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଇତିମଧ୍ୟରେ ଏଭଳି ଅଭିଯୋଗ ପାଇବା ପରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଏବଂ ବରଗଡ଼ ଉପଖଣ୍ଡ ବରପାଲିରେ ଧାନ ବୋଝେଇ ଟ୍ରକକୁ ଯୋଗାଣ ବିଭାଗ ଜବତ କରିଛି। ତେବେ ଆଗକୁ ଆଉ କାର୍ଯ୍ୟାନୁଷ୍ଠାନ ବଢ଼ି ନାହିଁ ଅର୍ଥାତ୍ କେବଳ ଜବତରେ ହିଁ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଇଛି। ଏ ନେଇ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେହି ଧାନ ବୋଝେଇ ଟ୍ରକ୍କୁ ଜବତ କରଯାଇ ତଦନ୍ତ ଚାଲିଥିବା କହିଥିଲେ।
ତେବେ କେବଳ ସେହି ଟ୍ରକ୍ ଗୁଡ଼ିକରେ ଛତିଶଗଡ଼ରୁ ଧାନ ଆସି ବରଗଡ଼କୁ ପଶିଛି, ତାହା ନୁହେଁ। ନିୟମିତ ରାତାରାତି ଅନେକ ଗାଡ଼ିରେ ଛତିଶଗଡ଼ରୁ ଅନୁରୂପଭାବେ ବରଗଡ଼କୁ ଧାନ ଆସୁଥିବା ଅଭିଯୋଗ ହୋଇଛି। ବରଗଡ଼-ଛତିଶଗଡ଼ ସୀମାନ୍ତରେ ରହିଥିବା ବିଭିନ୍ନ ଗଳାବାଟ ଦେଇ ସେହି ଧାନ ବେପାରୀ ମାଧ୍ୟମରେ ଜିଲାକୁ ପ୍ରବେଶ କରୁଛି। ଛତିଶଗଡ଼ ଧାନ ଯେଭଳି ବରଗଡ଼କୁ ପଶିବ ନାହିଁ, ସେଥିପ୍ରତି ସୀମାବର୍ତ୍ତୀ ପ୍ରବେଶପଥ ଗୁଡ଼ିକ ପ୍ରତି କଡ଼ା ନଜର ରଖିବାକୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ ନିର୍ଦ୍ଦେଶ ଦେଇଥିଲେ। ଉପସ୍ଥିତ ବିଧାୟିକା, ବିଧାୟକମାନେ ମଧ୍ୟ ସେହି ପ୍ରସଙ୍ଗକୁ ବୈଠକରେ ଉପସ୍ଥାପନ କରିଥିଲେ। ତେବେ ସେଭଳି ଧାନ ଚାଲାଣ ରୋକିବା ପାଇଁ ଏନ୍ଫୋର୍ସମେଣ୍ଟ ତଥା ସ୍ପେଶାଲ ଟିମ୍ ଗଠନ କରାଯାଇଥିବା ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର ଏହି ଟିମ୍ ଏପର୍ଯ୍ୟନ୍ତ ସେଭଳି କ୍ଷେତ୍ରରେ ଆଶାନୁରୂପ ପଦକ୍ଷେପ ନେଉଥିବା ପରିଲକ୍ଷିତ ହେଉ ନାହିଁ। ସ୍ଥାନୀୟ ଲୋକେ ସୂଚନା ଦେଲେ ଯାଇ ବିଭାଗୀୟ କର୍ମଚାରୀମାନେ ପହଞ୍ଚି ସେଭଳି ଧାନ ବୋଝେଇ ଟ୍ରକ୍କୁ ଜବତ କରୁଥିବାବେଳେ ବିଭିନ୍ନ ସମୟରେ ଏଭଳି ଧାନ ବୋଝେଇ ଟ୍ରକ୍ ଛତିଶଗଡ଼ ପଟୁ ଆସି ବରଗଡ଼କୁ ପଶୁଥିଲେ ମଧ୍ୟ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସାଧାରଣରେ ଆଲୋଚନା ହେଉଛି। ସେହିପରି ଏନ୍ଫୋର୍ସମେଣ୍ଟ ଟିମ୍ ମୁଖ୍ୟରାସ୍ତାରେ ବେଳେବେଳେ ପଇଁତରା ମାରୁଛି। କିନ୍ତୁ ଗଳାବାଟ ଦେଇ ଛତିଶଗଡ଼ ଧାନ ବରଗଡ଼କୁ ପଶୁଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଛତିଶଗଡ଼ରୁ ବରଗଡ଼କୁ ସେଭଳି ଧାନ ଆସିବା ପାଇଁ ଅନେକ ଗଳାବାଟ ରହିଛି। ବରଗଡ଼ ଜିଲା ସୋହେଲା, ଅମ୍ବାଭୋନା, ପଦ୍ମପୁର, ପାଇକମାଳ, ଝାରବନ୍ଧ ବ୍ଲକ ଦେଇ ଛତିଶଗଡ଼କୁ ମୁଖ୍ୟରାସ୍ତା ଗୁଡ଼ିକ ସଂଯୋଗ କରୁଛି। ସେଠାକୁ ସଂଯୋଗ କରୁଥିବା ଅନେକ ଗଳାବାଟ ଦେଇ ଜିଲାକୁ ଧାନ ଆସୁଥିବା ଅଭିଯୋଗ ହେଉଛି। ଛତିଶଗଡ଼ ରାଜ୍ୟର ନୂଆପଡ଼ା, କଞ୍ଚନପୁର, ବୋରିଦା ଖଏରଗଡ଼ି, ମାନିଅମୁରା, କେନ୍ଦାଢ଼ିପା, ରିଷିଡ଼ାରୁ ଯଥାକ୍ରମେ ବରଗଡ଼ ଜିଲା ଅମ୍ବଭୋନା ବ୍ଲକ ଅନ୍ତର୍ଗତ ବଡ଼ଧରା, ରୁଚିଦା, ଗଣ୍ଠିଆପାଲି, ବେହେରାପାଲି, ବିଲେଇଗଡ଼ି, ସାନ ସରେଇପାଲି, କୁମ୍ଭୋକୁ ରାସ୍ତା ସଂଯୋଗ ହୋଇଛି। ଏହି ରାସ୍ତା ଗୁଡ଼ିକ ମଧ୍ୟରୁ ନୂଆପଡ଼ା-ବଡ଼ଧରା, କଞ୍ଚନପୁର-ରୁଚିଦା, ବୋରିଦା-ଗଣ୍ଠିଆପାଲି ରାସ୍ତା ଦେଇ ମୁଖ୍ୟତଃ ଯାତ୍ରୀବାହୀ ବସ୍ ଏବଂ ଅନ୍ୟ ଯାନବାହନ ନିୟମିତ ଯାତାୟାତ କରିଥାଏ। ତେବେ ଛତିଶଗଡ଼ରୁ ଧାନ ଚାଲାଣ ପାଇଁ ବେପାରୀମାନେ ଏହି ରାସ୍ତା ବ୍ୟବହାର କରୁଥିଲେ ସୁଦ୍ଧା ଚଢ଼ାଉ ଭୟରେ ଖଏରଗଡ଼ି-ବେହେରାପାଲି, ମାନିଅମୁରା-ବିଲେଇଗଡ଼ି, କେନ୍ଦାଢ଼ିପା-ସାନ ସରେଇପାଲି, ରିଷିଡ଼ା ଭଳି ଗଳାବାଟରେ ଅନାୟାସରେ ବରଗଡ଼ ଜିଲାକୁ ଧାନ ଆଣୁଥିବା ଅଭିଯୋଗ ହୋଇଛି। ଭଟଲି ବ୍ଲକର କାଶିପାଲି ଦେଇ ବରଡ଼ୋଲକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଛତିଶଗଡ଼ ରାଜ୍ୟର ଧାନ ବୋଝେଇ ଟ୍ରକ୍ ଗୁଡ଼ିକ ଆସୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଅନୁରୂପଭାବେ ସୋହେଲା ବ୍ଲକର କରଣ୍ଡୋଲା ପଞ୍ଚାୟତ ଦାମପାଲି, କାଶିପାଲି-କୁଦୋପାଲି, ଗ୍ରୀଞ୍ଜେଲ-ବୁଡ଼ାମାଳ ସମେତ ଝାରବନ୍ଧ, ପଦ୍ମପୁର, ପାଇକମାଳ ବ୍ଲକରେ ରହିଥିବା ଅନେକ ଗଳାବାଟ ଦେଇ ନିୟମିତ ଛତିଶଗଡ଼ରୁ ଧାନ ବରଗଡ଼ ଜିଲାକୁ ପଶୁଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେବା ଏବଂ ଲୋକଙ୍କଠାରୁ ସୂଚନା ପାଇଲେ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ନିଆଯିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।