‘ବାହାର ଲୋକେ ପୁରୀ ନ ଆସନ୍ତୁ’

ପୁରୀ ଅଫିସ,୨୬ା୧୧:ପଞ୍ଚକ ବ୍ରତ ବୁଧବାରଠାରୁ ଆରମ୍ଭ ହୋଇଛି। ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏହାପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ବିଶେଷ ପର୍ବପର୍ବାଣି ପାଇଁ ପୁରୀ ଜିଲା ପ୍ରଶାସନ କେତେକ କଟକଣା ଜାରି କରିଛି। ନାଗାର୍ଜୁନ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାହାର ଲୋକଙ୍କୁ ପୁରୀ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଉପଜିଲାପାଳ ଭବତାରଣ ସାହୁ ଅନୁରୋଧ କରିଛନ୍ତି।
ଏଥର ସବୁକିଛି ବିଗାଡ଼ି ଦେଇଛି କରୋନା। ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୮ମାସ ହେଲା ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି, ଯାହା ଏବେ ବି ବଳବତ୍ତର ରହିଛି। ଅନ୍ୟପକ୍ଷରେ ଏଥର ପଞ୍ଚକ ୬ଦିନ ପଡୁଥିବାବେଳେ ଆସନ୍ତା ଶୁକ୍ରବାର ଦାରୁବିଗ୍ରହଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। କିନ୍ତୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ଥିବାରୁ ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଉପଜିଲାପାଳ ସାହୁ କହିଛନ୍ତି, ଏଥର ସ୍ଥିତି ଭିନ୍ନ ରହିଛି। ତେଣୁ ପଞ୍ଚକ ପାଇଁ ମରିଚିକୋଟ ଛକଠାରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଏହିଠାରୁ ଭକ୍ତମାନେ ଚାଲି ଚାଲି ଯିବେ। ପତିତପାବନଙ୍କୁ ଦର୍ଶନ କରିବା ପରେ କାକୁଡ଼ିଖାଇ ଛକ ଦେଇ ବାହାରିବେ। ନାଗାର୍ଜୁନ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାହାର ଲୋକେ ପୁରୀ ଆସନ୍ତୁ ନାହିଁ। ଘରେ ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। କିନ୍ତୁ ପୁରୀବାସୀ ପତିତପାବନଙ୍କ ଦର୍ଶନ କରିପାରିବେ। ତିନିଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ। ସେହିପରି ନାଗାର୍ଜୁନ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରଦ୍ଧାଳୁ କିପରି ମହାପ୍ରସାଦ ସୁରୁଖୁରୁରେ ପାଇବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ଅବଢ଼ା ଯୋଗାଇ ଦିଆଯିବ।