Categories: ଜାତୀୟ

‘ନିରୀହ ଡାକ୍ତରଙ୍କୁ ହଇରାଣ କର ନାହିଁ’

ନୂଆଦିଲ୍ଲୀ,୩୦।୩: ହତ୍ୟା ମାମଲା ରୁଜୁ ହେବା ପରେ ରାଜସ୍ଥାନରେ ବୁଧବାର ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ କେବଳ ରାଜ୍ୟରେ ନୁହେଁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମୃତ ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିବା ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତେବେ ମଙ୍ଗଳବାର ଛୁଆକୁ ଜନ୍ମ ଦେବା ପରେ ମହିଳାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଯାହାକି ତାଙ୍କ ମୃତ୍ୟୁର କାରଣ। କିନ୍ତୁ ମହିଳାଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ଲୋକେ ହସ୍ପିଟାଲରେ ପ୍ରଦର୍ଶନ କରିବା ସହ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଡ. ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ ହେବା ପରେ ସେମାନେ ଧାରଣାରୁ ଓହରିଥିଲେ। ଏଥିରେ ଚିନ୍ତିତ ହୋଇ ସେ ଆତ୍ମହତ୍ୟା କରିଥିଲେ।

ତାଙ୍କ ମୃତଦେହ ପାଖରୁ ଏକ ହାତ ଲେଖା ସୁଇସାଇଡ୍‌ ନୋଟ୍‌ ମିଳିଛି। ସେଥିରେ ସେ ନିରୀହ ଡାକ୍ତରଙ୍କୁ ହଇରାଣ ନ କରିବାକୁ ଲେଖିଛନ୍ତି। ଏଥିସହିତ ତାଙ୍କ ସ୍ବାମୀ ଏବଂ ଦୁଇ ଛୁଆଙ୍କୁ ହଇରାଣ ନ କରିବା ଲାଗି ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ନେଇ ରାଜସ୍ଥାନରେ ଭାରତୀୟ ମେଡିକାଲ ଆସୋସିଏଶନ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫେଡେରେଶନ ଅଫ୍‌ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ ଡାକ୍ତରଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରାଯାଇଛି।

Share