କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ ବାଧ୍ୟ କରନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।
କର୍ତ୍ତୃପକ୍ଷ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ମେଡିକାଲ ଅକ୍ସିଜେନ ଯୋଗାଇ ନ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ। ଆମ ନିର୍ଦ୍ଦେଶ ଅନୁସାରେ ପ୍ରତିଦିନ ଏହି ପରିମାଣର ଅକ୍ସିଜେନ ଯୋଗାଇବାକୁ ତୁମ ଅଫିସରମାନଙ୍କୁ ଜଣାଇଦିଅ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ (ଏସ୍‌ଜି) ତୁଷାର ମେହେଟ୍ଟାଙ୍କୁ କହିଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌ଜିଙ୍କୁ ଆହୁରି କହିଥିଲେ, ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି, ଯାହାକୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ।
ରାଜଧାନୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣ କରିବାରେ କେନ୍ଦ୍ରର ବିଫଳତା ନେଇ ଦିଲ୍ଲୀ ହାଇକୋର୍ଟ ଜାରି କରିଥିବା ଅବମାନନା ନୋଟିସ୍‌କୁ କେନ୍ଦ୍ର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏହାର ଶୁଣାଣି କରି ଶୀର୍ଷ ଅଦାଲତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ବୁଧବାର ଦିଲ୍ଲୀକୁ ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଦିଆଯାଇଥିବାବେଳେ ଗୁରୁବାର ଏହାକୁ ୫୩୭ ମେଟ୍ରିକ୍‌ ଟନ୍‌କୁ ଖସାଇ ଦିଆଯାଇଥିଲା। ତେଣୁ ଅନ୍ୟାଦେଶ ପର୍ଯ୍ୟନ୍ତ ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅମ୍ଳଜାନ ଯୋଗାଣ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଲୋକଙ୍କୁ ବିପଦରେ ଛାଡ଼ିଦେଇ ହେବନାହିଁ

ଅନ୍ୟ ରାଜ୍ୟଗୁଡ଼ିକ ଭଳି କର୍ନାଟକରେ ମଧ୍ୟ ଅକ୍ସିଜେନ ଅଭାବରୁ କୋଭିଡ୍‌ ରୋଗୀ ପ୍ରାଣ ହରାଉଛନ୍ତି। ଏଥିଲାଗି ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଦୈନିକ ଦିଆଯାଉଥିବା ୯୬୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନକୁ ୧୨୦୦ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବୁଧବାର କର୍ନାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯଦି ପ୍ରତି ହାଇକୋର୍ଟ ଅକ୍ସିଜେନ ଯୋଗାଣ ପାଇଁ ରାୟ ଦେବେ ତେବେ ଦେଶର ସପ୍ଲାଏ ନେଟ୍‌ଓ୍ବର୍କ କାମ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। କର୍ନାଟକର ନାଗରିକମାନଙ୍କୁ ବିପଦରେ ଛାଡ଼ିଦେଇ ହେବ ନାହିଁ। ହାଇକୋର୍ଟଙ୍କ ରାୟ ଯଥାର୍ଥ ଓ ଯୁକ୍ତିଯୁକ୍ତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

Share