ପ୍ର- ଅର୍ଗାନିକ୍ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି?
ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ ଏହି ଉଦ୍ୟୋଗ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ୨୦୨୨ରେ ମୋ ମା’ଙ୍କର କ୍ୟାନ୍ସରରେ ଦେହାନ୍ତ ହୋଇଥିଲା। ସେତେବେଳେ ସ୍ୱାସ୍ଥ୍ୟ, ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ଏବଂ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ସମ୍ପର୍କରେ ଚିନ୍ତା କରିଥିଲି ଏବଂ ମା’ଙ୍କ ଉଦ୍ଦେଶ୍ୟରେ ଅର୍ଗାନିକ୍ ମା’ ଆରମ୍ଭ କରିଥିଲି। ଅର୍ଗାନିକ୍ ମା’ର ଲକ୍ଷ୍ୟ ହେଉଛି, ସୁଲଭ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ ଯୋଗାଇବା, ଯଦ୍ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ସଚେତନ ଲୋକମାନେ ଆର୍ଥିକ ବୋଝ ବିନା ଉତ୍ତମ ଖାଦ୍ୟ ପାଇପାରିବେ। ସେହିପରି ମହିଳା ସଶକ୍ତୀକରଣ ତଥା ଗ୍ରାମୀଣ ବିକାଶକୁ ଆମେ ଗୁରୁତ୍ୱ ଦେଇଥାଉ। ଆମେ ବିଶ୍ୱାସ କରୁ ଯେ, ଯେତେବେଳେ ଗ୍ରାମୀଣ ସମ୍ପ୍ରଦାୟଗୁଡ଼ିକୁ ଅର୍ଥନୈତିକ ପ୍ରଗତିରେ ସାମିଲ କରାଯାଏ, ସେତେବେଳେ ପ୍ରକୃତ ଅଭିବୃଦ୍ଧି ହୁଏ। ଅର୍ଗାନିକ୍ ମା’ ମାଧ୍ୟମରେ ଆମେ ଏପରି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁଠାରେ ମହିଳାମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିପାରିବେ, ଯୋଗଦାନ ଦେଇପାରିବେ ଏବଂ ସମ୍ମାନ ଓ ଆର୍ଥିକ ସ୍ୱାଧୀନତା ସହିତ ଆଗକୁ ବଢ଼ିପାରିବେ।
ପ୍ର- ଆପଣଙ୍କର ଅର୍ଗାନିକ୍ ମସଲା ଏବଂ ଡ୍ରାଏ ଫ୍ରୁଟସ୍ର ଉତ୍ତମ ଗୁଣବତ୍ତା କିପରି ସୁନିଶ୍ଚିତ କରନ୍ତି? ଆଗକୁ ନୂଆ ଉତ୍ପାଦ ବଜାରକୁ ଆଣିବା ଯୋଜନା ରହିଛି କି?
ଉ- ଅର୍ଗାନିକ୍ ମା’ରେ ସ୍ୱଚ୍ଛତା ଏବଂ ଗୁଣବତ୍ତା ନିୟନ୍ତ୍ରଣ ହେଉଛି ଆମ ବ୍ରାଣ୍ଡର ମୂଳଦୁଆ। ଆମେ ବିଶ୍ୱସ୍ତ ଉତ୍ସରୁ କଞ୍ଚାମାଲ ଚୟନ କରୁ ଏବଂ ସଂଗ୍ରହ, ସଫେଇ, ଗ୍ରେଡିଂ, ପ୍ୟାକେଜିଂ ଓ ସଂରକ୍ଷଣର ପ୍ରତ୍ୟେକ ପର୍ଯ୍ୟାୟ ଉପରେ ନଜର ରଖୁ। ଏହାଦ୍ୱାରା ଉତ୍ପାଦଗୁଡିକର ଶୁଦ୍ଧତା, ସତେଜତା ଏବଂ ପୁଷ୍ଟିକର ମୂଲ୍ୟ ବଜାୟ ରହେ। ଆମେ ଦୈନନ୍ଦିନ ସ୍ୱାସ୍ଥ୍ୟକର ଜରୁରୀ ସାମଗ୍ରୀ, ମୂଲ୍ୟଯୁକ୍ତ ଗ୍ରୋସରି ଓ ପ୍ରାକୃତିକ ଖାଦ୍ୟ ଉତ୍ପାଦଗୁଡ଼ିକର ସମ୍ପ୍ରସାରଣ ଯୋଜନା କରୁଛୁ।
ପ୍ର- ଭୁବନେଶ୍ୱର ଏବଂ ଓଡ଼ିଶାର ଅନ୍ୟ ସହରରେ ଆପଣଙ୍କର ଦ୍ରୁତ ରିଟେଲ୍ ସମ୍ପ୍ରସାରଣ ପଛରେ କେଉଁ ରଣନୀତି ରହିଛି? ଆଗକୁ ସମ୍ପ୍ରସାରଣ ପାଇଁ କିଛି ନୂଆ ଯୋଜନା ଅଛି କି?
ଉ- ଗ୍ରାହକମାନେ ଉଚିତ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ ପାଇଲେ ବଜାରରେ ଚାହିଦା ସ୍ଥିର ରହିଥାଏ। ଏହି ଆଭିମୁଖ୍ୟ ଓଡ଼ିଶା ସାରା ଅର୍ଗାନିକ୍ ମା’କୁ ଗ୍ରହଣୀୟ କରିବାରେ ସାହାଯ୍ୟ କରିଛି। ବର୍ତ୍ତମାନ ଭୁବନେଶ୍ୱରର ପ୍ରାୟ ୫୦ଟି ଷ୍ଟୋର୍ ଏବଂ ଓଡ଼ିଶାର ରିଲାଏନ୍ସ ରିଟେଲ୍ର ୨୫ଟି ଷ୍ଟୋର୍ରେ ଆମର ଉତ୍ପାଦ ଉପଲବ୍ଧ। ଆମେ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ବିସ୍ତାର କରିଛୁ। ବର୍ତ୍ତମାନ ଅର୍ଗାନିକ୍ ମା’ ଆମାଜନ, ଫ୍ଲିପକାର୍ଟ, ଜିଓମାର୍ଟରେ ଉପଲବ୍ଧ ହେଉଛି। ଆଗକୁ ବ୍ଲିଙ୍କଇଟ୍ ଏବଂ ବିଗ୍ ବାସ୍କେଟ୍ ସହ ଯୋଡ଼ି ହେବା ପାଇଁ ପ୍ରକ୍ରିୟା ଚାଲିଛି, ଯାହା ଆମର ପହଞ୍ଚକୁ ଆହୁରି ମଜଭୁତ କରିବ।
ପ୍ର- ଅର୍ଗାନିକ୍ ଏବଂ ସ୍ୱାସ୍ଥ୍ୟକର ସ୍ନାକ୍ସ ବର୍ଗରେ ଆପଣ ଗ୍ରାହକଙ୍କର କେଉଁ ପ୍ରକାରର ପସନ୍ଦ ଲକ୍ଷ୍ୟ କରୁଛନ୍ତି?
ଉ- ଏହି କ୍ଷେତ୍ରରେ ଗ୍ରାହକମାନେ ଉତ୍ପାଦର ଉପାଦାନ, ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଅଧିକ ସଚେତନ ହେଉଛନ୍ତି। ଏବେ ଲୋକମାନେ ସଂରକ୍ଷଣମୁକ୍ତ (ପ୍ରିଜରଭେଟିଭ-ଫ୍ରି), କ୍ଲିନ୍-ଲେଭଲ୍ ଏବଂ ପ୍ରାକୃତିକ ଉପାଦାନରେ ନିର୍ମିତ ସ୍ନାକ୍ସ ପସନ୍ଦ କରୁଛନ୍ତି। ପାରମ୍ପରିକ ଭାରତୀୟ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଯଥା ମିଲେଟ୍ (ମାଣ୍ଡିଆ ଜାତୀୟ ଶସ୍ୟ), ଡ୍ରାଏ ଫ୍ରୁଟସ୍, ନଟସ୍ ଓ ଫ୍ରାଏଡ୍ ଫୁଡ୍ର ଲୋକପ୍ରିୟତା ବୃଦ୍ଧି ପାଉଛି।
ପ୍ର- ଅର୍ଗାନିକ୍ ରିଟେଲ ଶିଳ୍ପରେ କେଉଁ ସବୁ ଆହ୍ୱାନ ରହିଛି ଏବଂ ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ସବୁଠାରୁ ବଡ଼ ଆହ୍ୱାନ ହେଉଛି ମୂଲ୍ୟକୁ ନେଇ ଗ୍ରାହକଙ୍କ ଧାରଣା। ଅନେକ ଭାବନ୍ତି ଯେ ଅର୍ଗାନିକ୍ (ଜୈବିକ) ଉତ୍ପାଦ ସବୁବେଳେ ମହଙ୍ଗା। ଦ୍ୱିତୀୟରେ ସାଧାରଣ ଉତ୍ପାଦ ଏବଂ ଉଚ୍ଚମାନର ଅର୍ଗାନିକ୍ ଉତ୍ପାଦ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଗ୍ରାହକଙ୍କ ପାଖରେ ଠିକ୍ ଜ୍ଞାନର ଅଭାବ। ଏହାର ସମାଧାନ ପାଇଁ ଆମେ ଗ୍ରାହକଙ୍କ ସଚେତନତା ଏବଂ ଗୁଣବତ୍ତା ଉପରେ ଗୁରୁତ୍ୱ ଦେଉଛୁ। ପାରିବାରିକ ବ୍ୟବସାୟର ମୂଲ୍ୟବୋଧ ଏବଂ ବ୍ୟକ୍ତିଗତ ଜୀବନର ଅନୁଭୂତିରୁ ମୋତେ ପ୍ରେରଣା ମିଳିଛି। ନୂତନ ଉଦ୍ୟୋଗୀଙ୍କ ପାଇଁ କହିବାକୁ ଚାହିଁବି ଯେ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝନ୍ତୁ, ଉତ୍ପାଦର ଗୁଣବତ୍ତା ସହିତ କେବେ ବି ବୁଝାମଣା କରନ୍ତୁ ନାହିଁ, ବିଶ୍ୱାସ ସୃଷ୍ଟି କରନ୍ତୁ, ମୂଲ୍ୟ ବ୍ୟାବହାରିକ ରଖନ୍ତୁ ଏବଂ ଧୈର୍ଯ୍ୟବାନ୍ ରୁହନ୍ତୁ। ପ୍ରକୃତ ସଫଳତା ସମସ୍ୟାର ସ୍ଥାୟୀ ସମାଧାନ ଦ୍ୱାରା ମିଳିଥାଏ।
Dharitri – Odisha’s No.1 Odia Daily

