Categories: ଜାତୀୟ

ଅତୀତ ସହିତ ତୁଳନା କର ନାହିଁ : ରାହୁଲ

ଦୌସା,୧୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର କର୍ମୀ ଏବଂ ସମର୍ଥକଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନର ଦୌସା ଜିଲାରେ ପହଞ୍ଚିଛି। ଏହି ଅବସରରେ ଜଣେ କଂଗ୍ରେସ ନେତା ରାହୁଲଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଥିଲେ। ଏହାକୁ ରାହୁଲ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ମହାତ୍ମା ଗାନ୍ଧୀ ଜଣେ ମହାନ ବ୍ୟକ୍ତି ଥିଲେ। ସେ ନିଜ ଜୀବନକୁ ଦେଶର ଏକତା ଓ ଅଖଣ୍ଡତାଏବଂ ସ୍ବାଧୀନତା ସଂଗ୍ରାମ ପାଇଁ ଉତ୍ସର୍ଗ କରିଦେଇଥିଲେ। କଂଗ୍ରେସର ଅତୀତ ସହିତ ମୋ ନାଁକୁ ତୁଲନା କରିବା ଉଚିତ ନୁହେଁ ବୋଲି ରାହୁଲ କହିଛନ୍ତି।

ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ ଦେଶ ପାଇଁ ଯାହା କରିଥିଲେ, ତା’କୁ ପ୍ରତ୍ୟେକ ସଭାରେ ଦୋହରାଇବା ଆଦୌ ଉଚିତ ନୁହେଁ। ସେମାନେ ଦେଶ ପାଇଁ କାର୍ଯ୍ୟ କରିସାରିଛନ୍ତି। ବର୍ତ୍ତମାନ ଜନତାଙ୍କ ପାଇଁ କଂଗ୍ରେସ କ’ଣ କରୁଛି ଏବଂ କ’ଣ କରିବାକୁ ଯାଉଛି ସେଥିପ୍ରତି ଧ୍ୟାନ ଦିଆଯାଉ ବୋଲି ରାହୁଲ ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି।

Share