ଜ୍ୱର, ଥଣ୍ଡା ଥିଲେ ସ୍କୁଲ ଆସନାହିଁ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଯାଇ ନାହିଁ। ତେଣୁ ସତର୍କ ରହିବରକୁ ପଡ଼ିବ। ଜ୍ୱର, ଥଣ୍ଡା ଲକ୍ଷଣ ଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ନ ଆସିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି।

ସୁନ୍ଦରଗଡ଼ ଓ ବୁର୍ଲାରେ ଛାତ୍ରୀଛାତ୍ର କରୋନା ସଂକ୍ରମିତ ହେବା ଘଟଣାରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସୁନ୍ଦରଗଡ଼ ସ୍କୁଲରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେହି ଗୁରୁତର ନାହାନ୍ତି। ଲକ୍ଷଣହୀନ ପିଲାଙ୍କୁ ସଙ୍ଗରୋଧରେ ରଖାଯାଇଛି। କେବଳ ୩ ଜଣଙ୍କ ଠାରେ ଲକ୍ଷଣ ରହିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଲୋକମାନେ ସଚେତନ ନ ହେଲେ ଆଗକୁ ସ୍ଥିତି ବିଗିଡ଼ିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। କଲେଜ ଛାତ୍ରୀଛାତ୍ର ଟିକା ନେଇଥିବାରୁ ଗୁରୁତର ହେବାର ଆଶଙ୍କା କମ୍‌ ରହିଛି। କିନ୍ତୁ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଚିନ୍ତା ରହିଛି। ତେଣୁ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ସ୍କୁଲ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ଏପରିକି ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହା ଉପରେ ନଜର ରଖିବାକୁ କହିଛନ୍ତି।