Categories: ରାଜ୍ୟ

ଗୁରୁତର ନ ଥିଲେ କୋଭିଡ୍‌ ହସ୍ପିଟାଲ ଆସନ୍ତୁ ନାହିଁ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ବଢ଼ୁଥିବାବେଳେ ଆକ୍ରାନ୍ତମାନେ ଭୟରେ କୋଭିଡ୍‌ ହସ୍ପିଟାଲ ମୁହାଁ ହେଉଛନ୍ତି। ହେଲେ ଗୁରୁତର ନ ଥିଲେ ହସ୍ପିଟାଲ ନ ଆସିବା ପାଇଁ କରୋନା ଆକ୍ରାନ୍ତଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛି ସ୍ବାସ୍ଥ୍ୟବିଭାଗ।

ଅକ୍ସିଜେନ ଆବଶ୍ୟକ ନ ଥିବା ଅନେକ ରୋଗୀ ଭୟଭୀତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟଲରେ ସହଜରେ ବେଡ୍‌ ଉପଲବ୍ଧ ହୋଇପାରୁ ନାହିଁ। ଗୁରୁତର ହୋଇ ନ ଥିବା ରୋଗୀ ଗୃହ ସଙ୍ଗରୋଧ କିମ୍ବା କୋଭିଡ୍‌ କେୟାରରେ ରହି ସୁସ୍ଥ ହୋଇପାରିବେ। ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କ ପାଇଁ ଯେମିତି ହସ୍ପିଟାଲରେ ବେଡ୍‌ ଖାଲି ରଖାଯାଇପାରିବ ସେନେଇ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ଘରେ ରହି ଯେମିତି କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ ଏବଂ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ସେନେଇ ଡାକ୍ତରୀ ପରାମର୍ଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ୟ ବିଭାଗ। ମେ’ ମାସ ବେଳକୁ କରୋନା ପିକ୍‌ରେ ରହିବା ସମ୍ଭାବନା ଅଛି। ତେବେ ଭୟଭୀତ ହୋଇ ମେଡିକାଲ ନ ଆସିବାକୁ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।