ବନ୍ଧୁକକୁ ଡର ନାହିଁ

କାବୁଲ,୧୦।୯: ପୁରୁଷ ପ୍ରଧାନ, ରୂଢ଼ିବାଦୀ, କଠୋରପନ୍ଥୀ, ବର୍ବର। ଏମିତି ଯେତେ ନକାରାମତ୍କ ଉପମା ଦେଲେ ବି କମ୍‌ ହେବ ତାଲିବାନ୍‌ ପାଇଁ। କଥା କଥାକେ ସର୍ବସମ୍ମୁଖରେ ଟେକା ଫିଙ୍ଗି, ଗୁଳି କରି ଅଥବା ଖୁଣ୍ଟରେ ଝୁଲାଇ ହତ୍ୟା କରିବାର ହୃଦୟ ବିଦାରକ ଛବି ଲିଭି ନ ଥିଲା ଆଫଗାନ୍‌ ମହିଳାଙ୍କ ମନରୁ। ପୁଣିଥରେ କ୍ଷମତା ଦଖଲ କରିଛି ଏହି କୁଖ୍ୟାତ୍‌ ଆତଙ୍କବାଦୀ ସଙ୍ଗଠନ। ଏଥିସହ ପୁଣି ଫେରିଛି କୋଡ଼ିଏ ବର୍ଷ ତଳର ବର୍ବରତା। ମହିଳାମାନେ ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିବେ। ସେମାନେ ଜରୁରୀ କାମରେ ବାହାରକୁ ଗଲେ ଆପାଦମସ୍ତକ ବୁର୍ଖାରେ ଢାଙ୍କି ହୋଇଥିବେ। କୌଣସି କ୍ରୀଡ଼ା ବା ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗନେଇ ପାରିବେ ନାହିଁ। ଏପରି କି ପାଠ ପଢ଼ିବାବେଳେ ଛାତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ପରଦା ଟାଙ୍ଗିଦିଆଯିବ। ଏହା ହେଉଛି ତାଲିବାନ୍‌ର ଅଲିଖିତ ସମ୍ବିଧାନ ଓ ଅକାଟ୍ୟ ଫତ୍‌ଓ୍ବା। ଏହା ହେଉଛି ଇସ୍‌ଲାମିକ୍‌ ଏମିରେଟ୍‌ ଅଫ୍‌ ଆଫଗାନିସ୍ତାନରେ ମୁଲ୍ଲାମାନଙ୍କ ଶରିଆ ଆଇନ୍‌, ଯାହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ମହିଳା। ସର୍ବକ୍ଷମା ଘୋଷଣା କରି ଆମେ ବଦଳିଯାଇଛୁ ବୋଲି ଦାବି କରୁଥିବା ତାଲିବାନ୍‌ର ମୁଖା ଖୋଲିଦେଇଛି ବିକ୍ଷୋଭରତ ମହିଳାମାନଙ୍କ ଉପରେ ଏହାର ଚାବୁକ୍‌ ପ୍ରହାର ଓ ଲାଠିମାଡ଼।

ଇସ୍‌ଲାମିକ୍‌ ଏମିରେଟ୍‌ ଅଫ୍‌ ଆଫଗାନିସ୍ତାନରେ କେବଳ ପୁରୁଷଙ୍କୁ ନେଇ ଗଠିତ ତାଲିବାନ୍‌ କ୍ୟାବିନେଟ ବିରୋଧରେ ରାଜଧାନୀ କାବୁଲ ସମେତ ପରଓ୍ବାନ୍‌ ଓ ନିମ୍‌ରୁଜ୍‌ ପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ଏଥିଲାଗି ତାଲିବାନ୍‌ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦେଇଛି। ଉତ୍ତର-ପୂର୍ବ ବଡ଼ାଖଶାନ୍‌ ପ୍ରଦେଶରେ ଶତାଧିକ ମହିଳା ବିକ୍ଷୋଭ କରିଛନ୍ତି। ସରକାରରେ ମହିଳାଙ୍କୁ ମନ୍ତ୍ରୀ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଶୋଭାଯାତ୍ରାରେ ବାହାରିଥିବା ବିକ୍ଷୋଭକାରୀଙ୍କ ହାତରେ ପ୍ଲାକର୍ଡ ଥିଲା। ସେଥିରେ ଲେଖାଥିଲା, ଆମ ସ୍ବରକୁ ଅସ୍ତ୍ରଶସ୍ତ୍ର ବଳରେ କେହି ନୀରବ କରିପାରିବେ ନାହିଁ। ସେମାନେ ‘ମହିଳା ଜିନ୍ଦାବାଦ୍‌’, ‘ପାକିସ୍ତାନ ମୁର୍ଦ୍ଦାବାଦ୍‌’ ଓ ‘ଆମେରିକା ମୁର୍ଦ୍ଦାବାଦ’ ନାରା ମଧ୍ୟ ଦେଇଥିଲେ। କାବୁଲର ଉତ୍ତର-ପୂର୍ବ ସ୍ଥିତ କପିସା ପ୍ରଦେଶରେ ଶୋଭାଯାତ୍ରା ବେଳେ ଅନେକ ମହିଳାଙ୍କୁ ତାଲିବାନ୍‌ ଗିରଫ କରିଛି। ବିକ୍ଷୋଭକାରୀଙ୍କୁ ତାଲିବାନ୍‌ ଲଢ଼ୁଆମାନେ ମାଡ଼ ମାରିଛନ୍ତି। ମଙ୍ଗଳବାର ହେରାତ୍‌ ସହରରେ ବିକ୍ଷୋଭବେଳେ ତାଲିବାନ୍‌ ଗୁଳିରେ ୩ ଜଣଙ୍କ ଜୀବନ ଯାଇଥିଲା। ଏନେଇ ମହିଳା ବିକ୍ଷୋଭକାରୀ ଦିବା ଫରାହମନ୍ଦ କହିଛନ୍ତି, ଆମେ ଗତକାଲିର ମହିଳା ନୋହୁଁ। ଆମେ ଆମର ଅଧିକାର ଚାହୁଁ। ଅତୀତରେ ଆମେ ଅନେକ ହିଂସାକୁ ସାମ୍ନା କରିଥିଲୁ। କିନ୍ତୁ ଏବେ ଲଢ଼େଇ ଜାରି ରଖିବୁ।

Share