ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ ଫ୍ରିଜ ହୋଇଥିବା ଇରାନୀ ସମ୍ପତ୍ତି ମୁକ୍ତ କରିବାକୁ ପ୍ରସ୍ତୁତ ହୋଇପାରନ୍ତି। ତେବେ ଏଥିପାଇଁ ତେହରାନକୁ ପରମାଣୁ ପ୍ରସଙ୍ଗରେ ଠୋସ୍ ପ୍ରଗତି ଦେଖାଇବାକୁ ପଡ଼ିବ।
ସିଏନଏନ ସହ ଆଲୋଚନା ବେଳେ ଜଣେ ଆମେରିକୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମଧ୍ୟସ୍ଥମାନଙ୍କ ଜରିଆରେ ଆମେରିକା ଓ ଇରାନକୁ ପୁଣିଥରେ ଆଲୋଚନା ଟେବୁଲକୁ ଆଣିବା ପାଇଁ ଉଦ୍ୟମ ଚାଲିଥିବା ସମୟରେ ଏହି ବୟାନ ସାମ୍ନାକୁ ଆସିଛି।
ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ମଧ୍ୟସ୍ଥଙ୍କ ଜରିଆରେ ଆମେରିକା ଇରାନ ସହ ସକାରାତ୍ମକ ଓ ରଚନାତ୍ମକ ଆଲୋଚନା କରୁଛି। ତେବେ ପରମାଣୁ ପ୍ରସଙ୍ଗର ସମାଧାନ ନ ହେବା ପର୍ଯ୍ୟନ୍ତ କୌଣସି ଚୁକ୍ତି ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶନିବାର ଇରାନ ପକ୍ଷରୁ ହର୍ମୁଜ ଷ୍ଟ୍ରେଟ୍କୁ ପୁଣି ଖୋଲିବା ନେଇ ଦିଆଯାଇଥିବା ପ୍ରସ୍ତାବକୁ ଟ୍ରମ୍ପ ଖାରଜ କରିଥିଲେ। ଏହି ପ୍ରସ୍ତାବକୁ ସେ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ।
ରବିବାର ଟ୍ରମ୍ପ ‘ଆକ୍ସିଓସ’କୁ କହିଥିଲେ ଯେ, ଏହି ସପ୍ତାହରେ ଇରାନ ସହ ଆହୁରି ଆଲୋଚନା ହେବ ବୋଲି ସେ ଆଶା କରୁଛନ୍ତି। ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଆମେରିକା ପକ୍ଷରୁ ସ୍ବତନ୍ତ୍ର ଦୂତ ଷ୍ଟିଭ ୱିଟକଫ, ଜାରେଡ କୁଶନର, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏହି ଆଲୋଚନାର ନେତୃତ୍ୱ ନେଉଛନ୍ତି।
ଇରାନର ପ୍ରସ୍ତାବ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ତେହରାନ ଚୁକ୍ତି କରିବାକୁ ଚାହୁଁଛି, କିନ୍ତୁ ଏହା ଆମେରିକା ଚାହୁଁଥିବା ପ୍ରକାରର ଚୁକ୍ତି ନୁହେଁ। ଟ୍ରମ୍ପଙ୍କ କହିବା ଅନୁସାରେ, ଏହି ସର୍ତ୍ତଗୁଡ଼ିକୁ ଆମେରିକା ବୋଧହୁଏ ବର୍ଷକ ତଳେ ଗ୍ରହଣ କରିପାରିଥାନ୍ତା। କିନ୍ତୁ ଇରାନ ନିଜ ଦାବିକୁ ଆବଶ୍ୟକତାଠାରୁ ଅଧିକ ଆଗକୁ ବଢ଼ାଇ ଦେଇଛି।
ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ପରମାଣୁ ପ୍ରସଙ୍ଗରେ ନିଜ ଆଭିମୁଖ୍ୟରେ କିଛି ନମନୀୟତା ଦେଖାଇବାକୁ ଇରାନ ସଙ୍କେତ ଦେଇଛି। ତେବେ ଏହି ପ୍ରତିବଦ୍ଧତାଗୁଡ଼ିକ କେବେ ଏବଂ କେଉଁ ସମୟସୀମାରେ ଲାଗୁ ହେବ, ସେନେଇ ଦୁଇ ପକ୍ଷ ଏପର୍ଯ୍ୟନ୍ତ ସହମତ ହୋଇପାରିନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଆଲୋଚନାରେ ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗ ଏବେ ବି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଏକ ଚୂଡ଼ାନ୍ତ ଚୁକ୍ତି ପାଇଁ ଏହି ପ୍ରସଙ୍ଗରେ ଠୋସ ପ୍ରଗତି ଆବଶ୍ୟକ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ରବିବାର ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ ୱାଲ୍ଟଜ ସିଏନଏନରେ ଜେକ ଟାପରଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ ତେହରାନ ଆଲୋଚନାକୁ ଗମ୍ଭୀରତା ଓ ସଚ୍ଚୋଟତାର ସହ ଆଗକୁ ବଢ଼ାଇବ ବୋଲି ଟ୍ରମ୍ପଙ୍କ ଭରସା ନଥିବାରୁ ସେ ଇରାନର ପ୍ରସ୍ତାବକୁ ଖାରଜ କରିଥିଲେ।