ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ନେଇ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ଉପରକୁ କେବେ ବି କୌଣସି ଆକ୍ରମଣ ହୁଏ, ତେବେ ଆମେରିକା ଆଗକୁ ଆସିବ। ଆମେରିକା ଭାରତ ସହିତ ଛିଡ଼ା ହେବ, ଯଦିଓ ଆମ ମଧ୍ୟରେ କୌଣସି ଲିଖିତ ଚୁକ୍ତି ହୋଇନଥାଉ।

ସେହିପରି, ଷ୍ଟ୍ରେଟ ଅଫ ହର୍ମୁଜରେ ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ତିନିଜଣ ଭାରତୀୟ ନାବିକଙ୍କ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, “ମୁଁ ଏ ବିଷୟରେ ଶୁଣିଛି, ଏହା ଏକ ବହୁତ କଷ୍ଟକର ପେଶା। ଆମେ ଏହି ପ୍ରସଙ୍ଗ ଉପରେ କାମ କରୁଛୁ।”

ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ସହ ମିଳିତ ଖବରଦାତା ସମ୍ମିଳନୀ ସମୟରେ ଷ୍ଟ୍ରେଟ ଅଫ ହର୍ମୁଜରେ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ ଏବଂ ଏହା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଲକ୍ଷ ଲକ୍ଷ ସଂଖ୍ୟାରେ ନିୟୋଜିତ ଥିବା ଭାରତୀୟ ନାବିକଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ଆଶା ପ୍ରକଟ କରିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିରେ ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ଉପରେ ମଧ୍ୟ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବ।

ପିଏମ ମୋଦି କହିଛନ୍ତି, “ପଶ୍ଚିମ ଏସିଆରେ ଦୀର୍ଘକାଳୀନ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ଚୁକ୍ତିର ଅଗ୍ରଗତି ପାଇଁ ନିଆଯାଇଥିବା ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି। ମୋର ଦୃଢ଼ ବିଶ୍ୱାସ ଯେ, ଚୁକ୍ତିନାମା କାର୍ଯ୍ୟକାରୀ ହେବା ସମୟରେ ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ।”

 

Odisha’s No.1 Odia Daily

Share