ଟ୍ରମ୍ପଙ୍କ ଆୟକରକୁ ନେଇ ଉଠିଲା ବିବାଦ

ୱାଶିଂଟନ,୨୮ ।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ମଧ୍ୟରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ୱାରା ଭରଣା କରାଯାଇଥିବା ଆୟକରକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଜଣାପଡିଛି ଯେ ଗତ ୧୫ ବର୍ଷ ଭିତରେ ଟ୍ରମ୍ପ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ଆୟକର ପଇଠ କରି ନାହାଁନ୍ତି । ଯେଉଁ ବର୍ଷ ଟ୍ରମ୍ପ ରାଷ୍ଟ୍ରପତି ଦୌଡରେ ସାମିଲ ହେଲେ ଏହାପରେ ହ୍ୱାଇଟ ହାଉସରେ ତାଙ୍କର ପ୍ରଥମ ବର୍ଷ ସେ ସଂଘିୟ ଆୟକର ଭାବେ ୭୫୦ ଆମେରିକୀୟ ଡଲାର ବା ୫୫,୨୪୩ଟଙ୍କା ଭରଣା କରିଥିଲେ । ଅର୍ଥାତ୍ ୨୦୧୬-୧୭ରେ ସେ କେବଳ ୭୫୦ ଆମେରିକୀୟ ଡଲାର ଆୟକର ବାବଦରେ ପଇଠ କରିଥିଲେ । ନ୍ୟୁୟର୍କ ଟାଇମ୍ସରେ ରବିବାର ପ୍ରକାଶିତ ଏକ ଖବରରୁ ଏହା ଜଣାପଡିଛି । ଆମେରିକା ରାଷ୍ଟ୍ରପତିଙ୍କ ମୋଟ ସମ୍ପତ୍ତି ୨.୧ ଅରବ ଡଲାର । କରୋନା ମହାମାରୀ ମଧ୍ୟରେ ତାଙ୍କ ସମ୍ପତ୍ତି ୧ ଅରବ ଡଲାର କମ୍ ହୋଇଯାଇଛି । ତେବେ ଟ୍ରମ୍ପ ତାଙ୍କ ଆୟକର ସମ୍ପର୍କିତ ତଥ୍ୟ ସବୁବେଳେ ଗୋପନୀୟ ରଖିଥାଆନ୍ତି ବୋଲି କୁହାଯାଏ । ସେ ଏକମାତ୍ର ରାଷ୍ଟ୍ରପତି ଯେ କି ନିଜ ଆୟକର ତଥ୍ୟକୁ ସର୍ବସମ୍ମୁଖକୁ ଆଣି ନ ଥାଆନ୍ତି । ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ଟ୍ରମ୍ପ, ସେ କହିଛନ୍ତି ଏହା ଏକ ଭୁଲ୍ ଖବର । ସେ ସବୁବେଳେ ଆୟକର ପଇଠ କରି ଆସୁଛନ୍ତି । ହେଲେ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଟ୍ରମ୍ପଙ୍କ ଓକିଲ ମଧ୍ୟ କହିଛନ୍ତି ପ୍ରକାଶ ପାଇଥିବା ତଥ୍ୟରେ ଅନେକ କଥାକୁ ବାଦ୍ ଦିଆଯାଇଛି ଓ ଭୁଲ୍ ତଥ୍ୟ ପ୍ରକାଶ କରାଯାଇଛି । ଏପଟେ ନ୍ୟୁୟର୍କ ଟାଇମ୍ସ କହିଛି ସେ ଦୁଇ ଦଶକରୁ ଅଧିକ ଆୟକର ରିଟର୍ଣ୍ଣ ଦେଖିବା ପରେ ଏହି ଖବର ପ୍ରକାଶ କରିଛି ।

Share