ଇରାନ-ଆମେରିକା ଡିଲ୍‌ରେ ପାକିସ୍ତାନର ନାଁ: ଖୁସିରେ ଗଦ୍‌ଗଦ୍‌ ଶେହବାଜ ସରିଫ, କହିଲେ- ‘ମୋ ମଧ୍ୟସ୍ଥତାରେ…’

ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଡିଲ (ଚୁକ୍ତି) ହେବା ପରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତାର ଶ୍ରେୟ (କ୍ରେଡିଟ) ନେଇ ନିଜର ବାହାବା କରିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ଏହି ଚୁକ୍ତିନାମା ଉପରେ ଡିଜିଟାଲ ସ୍ବାକ୍ଷର କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଆଜି ଆମେରିକା ଏବଂ ଇରାନ ମଧ୍ୟରେ ଐତିହାସିକ ‘ଇସଲାମାବାଦ ବୁଝାମଣାପତ୍ର’ (MoU) ଉପରେ ଡିଜିଟାଲ ସ୍ବାକ୍ଷର କରାଯାଇଛି ବୋଲି ଘୋଷଣା କରି ମୁଁ ଗର୍ବିତ। ଏହି ଚୁକ୍ତିନାମାରେ ଉଭୟ ଦେଶର ରାଷ୍ଟ୍ରପତି ସ୍ବାକ୍ଷର କରିଛନ୍ତି ଏବଂ ମଧ୍ୟସ୍ଥ ଭାବରେ ମୁଁ ମଧ୍ୟ ଏହାକୁ ମୋର ମଞ୍ଜୁରୀ ଦେଇଛି। ଉଭୟ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଏହି ଚୁକ୍ତି ହେବା ଦର୍ଶାଉଛି ଯେ, ଉଭୟ ପକ୍ଷ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କେତେ ଗମ୍ଭୀର ଅଛନ୍ତି।”

ପାକ ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି, “’ଇସଲାମାବାଦ ଚୁକ୍ତି’ ତୁରନ୍ତ ଲାଗୁ କରାଯିବ। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ଇରାନ ତୁରନ୍ତ ‘ହର୍ମୁଜ ଷ୍ଟ୍ରେଟ’ (ହର୍ମୁଜ ପ୍ରଣାଳୀ)କୁ ପୁଣିଥରେ ଖୋଲିଦେବ ଏବଂ ଆମେରିକା ତୁରନ୍ତ ନିଜର ସାମୁଦ୍ରିକ ନାକାବନ୍ଦୀ ହଟାଇ ନେବ। ମୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି, ଯାହାଙ୍କର ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଜିଦ ଯୋଗୁଁ ଆଉ ଥରେ ଏଭଳି ଏକ ବିବାଦର ଅନ୍ତ ଘଟିଲା, ଯାହା ସମଗ୍ର ଅଞ୍ଚଳ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରିଥାନ୍ତା। ମୁଁ ଆମେରିକୀୟ ଆଲୋଚନାକାରୀ ଦଳଙ୍କ କଠିନ ପରିଶ୍ରମ ଏବଂ ନିରନ୍ତର ପ୍ରୟାସକୁ ମଧ୍ୟ ପ୍ରଶଂସା କରୁଛି।”

Odisha’s No.1 Odia Daily

Share