ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ ଆକାଶପଥରେ ଏକ ଯାତ୍ରୀବାହୀ ବିମାନର ଏକ ମାଇଲରୁ ମଧ୍ୟ କମ ଦୂରତାରେ ପହଞ୍ଚିଯାଇଥିଲା। ଟ୍ରମ୍ପଙ୍କ ହେଲିକପ୍ଟର ହୱାଇଟ ହାଉସରୁ ଆଣ୍ଡ୍ରୁଜ ଏୟାର ଫୋର୍ସ ବେସ୍‌କୁ ଯାଉଥିବା ସମୟରେ, ସେହି ସମୟରେ ଆମେରିକାନ ଏୟାରଲାଇନ୍ସର ଏକ ଆଞ୍ଚଳିକ ବିମାନ ୱାଶିଂଟନର ରୋନାଲ୍ଡ ରିଗାନ ନ୍ୟାସନାଲ ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା।

ଅମେରିକୀୟ ଅଧିକାରୀମାନେ ଏହାକୁ ସୁରକ୍ଷିତ ଦୂରତା ବଜାୟ ରଖିବାରେ ତ୍ରୁଟି (Loss of Separation) ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣାର ଫେଡେରାଲ ସ୍ତରରେ ତଦନ୍ତ ଆରମ୍ଭ ହୋଇଛି। ତେବେ, ହୱାଇଟ ହାଉସ ସ୍ପଷ୍ଟ କରି କହିଛି ଯେ ରାଷ୍ଟ୍ରପତି କେବେ ମଧ୍ୟ କୌଣସି ବିପଦରେ ନଥିଲେ। ଏକ ରିପୋର୍ଟ ଅନୁଯାୟୀ, ଏୟାର ଟ୍ରାଫିକ କଣ୍ଟ୍ରୋଲରମାନଙ୍କ ସହ ଅସ୍ପଷ୍ଟ ଯୋଗାଯୋଗ ପରେ ଏହି ଘଟଣା ଘଟିଥିଲା।

ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ (NTSB) ପୁଷ୍ଟି କରିଛି ଯେ, ‘ମେରିନ ୱାନ’ ହେଲିକପ୍ଟର ଏବଂ ରୋନାଲ୍ଡ ରିଗାନ ୱାଶିଂଟନ ନ୍ୟାଶନାଲ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏକ ବିମାନ ମଧ୍ୟରେ ସୁରକ୍ଷିତ ଦୂରତା କମିଯିବା ଘଟଣାର ତଦନ୍ତ ଆରମ୍ଭ କରିଛି। ସଂସ୍ଥା କହିଛି ଯେ, ୪ ଅଗଷ୍ଟରେ DCA ବିମାନବନ୍ଦରରୁ ଉଡ଼ାଣ ଭରିଥିବା ବିମାନ ଏବଂ ‘ମେରିନ ୱାନ’ ମଧ୍ୟରେ ସୁରକ୍ଷିତ ଦୂରତା କମିଯିବା ଘଟଣାର କାରଣ ଖୋଜାଯାଉଛି।

Odisha’s No.1 Odia Daily