ଓ୍ବାଶିଂଟନ୍,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଖୋଲାଖୋଲି ନାରାବାଜି କରାଯାଇଛି ଏବଂ ‘ଟ୍ରମ୍ପ ୱି ଉଇଲ କିଲ ୟୁ’ (Trump We Will Kill You) ଲେଖାଥିବା ବ୍ୟାନର ପ୍ରଦର୍ଶନ କରାଯାଇଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି।
ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଯଦି ଇରାନ ତାଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ଇରାନ ବିରୋଧରେ ଏକ ଅଭୂତପୂର୍ବ ଏବଂ ବିନାଶକାରୀ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ପୂର୍ବରୁ ହିଁ ଆମେରିକୀୟ ସେନାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଟ୍ରମ୍ପ କହିଛନ୍ତି, “ମୁଁ ସେନା ପାଇଁ ନିର୍ଦ୍ଦେଶ ଛାଡ଼ି ଯାଇଛି ଯଦି ମୋର କିଛି ବି ହୁଏ, ତେବେ ଇରାନ ଉପରେ ଏଭଳି ସ୍ତରରେ ବୋମା ବର୍ଷା କରାଯାଉ, ଯାହା ସେମାନେ ପୂର୍ବରୁ କେବେ ଦେଖିନଥିବେ”।
ଇସ୍ରାଏଲ ପକ୍ଷରୁ ଆମେରିକାକୁ ଇରାନର ଏକ ନୂତନ ‘କିଲିଂ ପ୍ଲାନ’ ବା ହତ୍ୟା ଷଡ଼ଯନ୍ତ୍ର ବିଷୟରେ ସୂଚନା ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଟ୍ରମ୍ପ ଏଭଳି କୌଣସି ନୂଆ ଅପରେଶନାଲ ପ୍ଲାନ ବିଷୟରେ ଜାଣିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, “ଇସ୍ରାଏଲ କୌଣସି ନୂଆ ତଥ୍ୟ ଆଣିନାହିଁ। ମୁଁ ଦୀର୍ଘ ଦିନ ହେବ ଇରାନର ହଟ୍ଲିଷ୍ଟରେ ନମ୍ବର ୱାନ୍ରେ ରହିଆସିଛି ଏବଂ ଜୀବନ ଏମିତି ହିଁ ଚାଲେ”। ସାକ୍ଷାତକାର ଶେଷରେ ଟ୍ରମ୍ପ କଟାକ୍ଷ କରି କହିଛନ୍ତି, “ମୁଁ ଆଶା କରୁଛି (ମୋ ଅନୁପସ୍ଥିତିରେ) ଆପଣ ସମସ୍ତେ ମତେ ମିସ୍ କରିବେ”।