ଟ୍ରମ୍ପଙ୍କ ସହ ଚା’ ପିଇଲେ ଦେବାକୁ ପଡ଼ୁଛି ୩୭ ଲକ୍ଷ, ଫଟୋ ଉଠାଇବାକୁ ୨୨ ଲକ୍ଷ

ଓ୍ବାଶିଂଟନ,୧୫।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ଏବେ ସେ ନିଜର ବୟାନ ପାଇଁ ନୁହେଁ, ବରଂ ରୋଜଗାରକୁ ନେଇ ଖବର ଶିରୋନାମା ପାଲଟିଛନ୍ତି। ରାଷ୍ଟ୍ରପତି ପଦ ଛାଡ଼ିବା ପରେ ସେ ବ୍ୟକ୍ତିଗତ ଭାବେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ଟ୍ରମ୍ପଙ୍କ ପାଇଁ କରାଯାଉଛି ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ। ତାଙ୍କ ସହ ଫଟୋ ଉଠାଇବା ନଚେତ ଚା’ ପିଇବା ଲାଗି ସମର୍ଥକଙ୍କୁ ଗଣିବାକୁ ପଡ଼ୁଛି ଲକ୍ଷ ଲକ୍ଷ ଟଙ୍କା। ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ସହ ଚା’ ପିଇବା ଲାଗି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏପରିକି ତାଙ୍କ ସହ ଏକ ଫଟୋ ଉଠାଇବା ଲାଗି ୨୨ ଲକ୍ଷ ଦେବାକୁ ହୋଇଥାଏ। ଏହି ଟଙ୍କା ସିଧାସଳଖ ତାଙ୍କ ଆକାଉଣ୍ଟକୁ ଯାଇଥାଏ। ତାଙ୍କ ଦଳ ରିପବ୍ଲିକାନ ପାର୍ଟି ସହ ଏହାର କୌଣସି ସମ୍ପର୍କ ନ ଥାଏ।

ବ୍ୟକ୍ତିଗତ ଇଭେଣ୍ଟ ମାଧ୍ୟମରେ ଟଙ୍କା ରୋଜଗାର କରିବାରେ କେବଳ ଟ୍ରମ୍ପ ନୁହନ୍ତି, ଅନ୍ୟ ପୂର୍ବ ରାଷ୍ଟ୍ରପତିମାନେ ମଧ୍ୟ ଏଭଳି କରିଆସିଛନ୍ତି। ସେମାନଙ୍କ ମଧ୍ୟରେ ବାରାକ ଓବାମା, ବିଲ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁଶ ପ୍ରମୁଖ ଅଛନ୍ତି। ଏଥିସହ ବିଲ୍‌ ଏବଂ ହିଲାରୀ କ୍ଲିଣ୍ଟନ ତାଙ୍କ ଭାଷଣରୁ ଟଙ୍କା ରୋଜଗାର କରିଥାନ୍ତି।

ତେବେ ଟ୍ରମ୍ପଙ୍କର ରୋଜଗାରର ଏହି ଗୋଟିଏ ମାଧ୍ୟମ ନାହିଁ। ସେ ରାଷ୍ଟ୍ରପତି ହେବା ପୂର୍ବରୁ ଜଣେ ସଫଳ ବ୍ୟବସାୟୀ। ଦେଶ ତଥା ବିଦେଶରେ ହୋଟେଲ, ରିଏଲ୍‌ ଇଷ୍ଟେଟ୍‌, ଫାଇନାନ୍ସ ସହ ଅନେକ ବ୍ୟବସାୟ ଥିବାରୁ ସେ ଜଣେ ବହୁତ ଧନୀ ବ୍ୟକ୍ତି। ବ୍ୟକ୍ତିଗତ କାର୍ଯ୍ୟକ୍ରମରୁ ପ୍ରାପ୍ତ ଟଙ୍କା ତାଙ୍କ ବ୍ୟବସାୟରୁ ରୋଜଗାର ଆଗରେ କିଛି ନୁହେଁ।

Share