ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ, ସୋସିଆଲ ମିଡିଆରେ କିଛି ୟୁଜର ଟ୍ରମ୍ପଙ୍କ ହାତର ଚିହ୍ନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଫଟୋରେ ଚିହ୍ନଟି ପୂର୍ବାପେକ୍ଷା ଅଧିକ ଗଭୀର ଦେଖାଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ତେବେ ଟ୍ରମ୍ପ ଓ ହ୍ୱାଇଟ୍ ହାଉସ୍ ପୂର୍ବରୁ ଏହି ଚିହ୍ନକୁ ନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି । ଏହା କୌଣସି ନୂଆ ସମସ୍ୟା ନୁହେଁ ବୋଲି ସେମାନେ କହିଛନ୍ତି। ଟ୍ରମ୍ପ ପୂର୍ବରୁ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ତାଙ୍କ ହାତ ଟେବୁଲ୍ରେ ବାଜିଯିବାରୁ ଏହି ଚିହ୍ନ ହୋଇଥିଲା। ପରେ ସେ ସେଥିରେ କ୍ରିମ୍ ଲଗାଇଥିବା କହିଥିଲେ । ଏଥିସହ ନିଜେ ସମ୍ପୂର୍ଣ୍ଣ ଠିକ୍ ଥିବା ମଧ୍ୟ ଟ୍ରମ୍ପ କହିଛନ୍ତି। ହାର୍ଟ ସମ୍ପର୍କିତ ଚିନ୍ତା କାରଣରୁ ସେ ପ୍ରତିଦିନ ଅଧିକ ଡୋଜ୍ର ଆସ୍ପିରିନ୍ ନେଉଛନ୍ତି । ତାଙ୍କ କହିବା ଅନୁସାରେ, ଆସ୍ପିରିନ୍ ଯୋଗୁଁ ଶରୀରରେ ହେଉଥିବା ଚିହ୍ନ ବା ଦାଗ ଅଧିକ ସ୍ପଷ୍ଟ ଦେଖାଯାଇପାରେ। ଟ୍ରମ୍ପଙ୍କ ମତରେ, ହୃଦୟର ଯତ୍ନ ନେବାକୁ ଆସ୍ପିରିନ୍ ନେବା ଭଲ, କିନ୍ତୁ ଶରୀରରେ ଏଭଳି ଚିହ୍ନ ଦେଖାଯିବା ନେଇ ଚିନ୍ତା ଥିଲେ ଏହା ନ ନେବା ଭଲ।
ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ଟିମ୍ ତାଙ୍କୁ ଆସ୍ପିରିନ୍ ନେବାର ଆବଶ୍ୟକତା ନଥିବା ଏବଂ ସେ ସୁସ୍ଥ ଥିବା କହିଥିଲେ । ତେବେ ସେ କୌଣସି ବିପଦ ନେବାକୁ ଚାହୁଁନଥିବାରୁ ଆସ୍ପିରିନ୍ ନେଉଥିବା କହିଛନ୍ତି। ଆସ୍ପିରିନ୍ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ କମାଇପାରେ, ଫଳରେ ସହଜରେ ହେଉଥିବା ଚିହ୍ନ ବା ନୀଳ ଦାଗ ଅଧିକ ସ୍ପଷ୍ଟ ଦେଖାଯାଇପାରେ । ହ୍ୱାଇଟ୍ ହାଉସ୍ ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ହାତରେ ଏଭଳି ଚିହ୍ନ ଦେଖାଯିବାର କାରଣ ଭାବେ ତାଙ୍କର ବାରମ୍ବାର ହାତ ମିଳାଇବା ଏବଂ ଆସ୍ପିରିନ୍ ସେବନକୁ ଦର୍ଶାଇଥିଲା।