କୃଷ୍ଣସାଗରରେ ଡଲ୍‌ଫିନ୍‌ ଦଳ

ମସ୍କୋ, ୨୯ା୪: ସବୁଠୁ ବୁଦ୍ଧିମାନ ମତ୍ସ୍ୟ ଡଲଫିନ୍‌କୁ ରୁଷିଆ କୃଷ୍ଣସାଗର ନୌସେନା ଘାଟିର ସୁରକ୍ଷା ପାଇଁ ମୁତୟନ କରିଛି। ୟୁଏସ୍‌ ନାଭାଲ ଇନଷ୍ଟିଚ୍ୟୁଟ୍‌ (ୟୁଏସ୍‌ଏନ୍‌ଆଇ) ଉପଗ୍ରହ ଚିତ୍ରରୁ ଏହା ଜାଣିବାକୁ ପାଇଛି। ରୁଷିଆର ଗୁରୁତ୍ୱପୂର୍ଣ୍ଣ ନାଭାଲ ବେସ୍‌ ସୋଭାସ୍ତୋପୋଲ ହାର୍ବର ପ୍ରବେଶପଥରେ ଦୁଇ ଡଲଫିନ୍‌ ପେନ୍‌ଙ୍କୁ ଛଡ଼ାଯାଇଥିବା ୟୁଏସ୍‌ଏନ୍‌ଆଇ କହିଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପୂର୍ବରୁ ଫେବୃୟାରୀରେ ସେଠାରେ ତାଲିମପ୍ରାପ୍ତ ଡଲଫିନ୍‌ଗୁଡ଼ିକୁ ଛଡ଼ାଯାଇଛି।
ଟେକ୍ନୋଲୋଜି ଦ୍ୱାରା ଜଳରାଶିରେ କିମ୍ବା ପାଣିତଳେ କୌଣସି ବସ୍ତୁର ସନ୍ଧାନ କରାଯାଇଥାଏ। ଏଥିସହ ସମୁଦ୍ରରେ କୌଣସି ବସ୍ତୁକୁ ଚିହ୍ନଟ କରିବା, ଦୂରତା ମାପିବା ସହ ନୌଜାହାଜ ବାବଦରେ ମଧ୍ୟ ସୋନାର ସିଷ୍ଟମ ଦ୍ୱାରା ଜଣାପଡ଼ିଥାଏ। ବିଭିନ୍ନ ଦେଶର ନୌସେନା କୃତ୍ରିମ ସୋନାର ବ୍ୟବହାର କରୁଥିବାବେଳେ ଡଲଫିନ୍‌ ସମୁଦ୍ର ତରଙ୍ଗ ମାଧ୍ୟମରେ ପ୍ରାକୃତିକ ଉପାୟରେ ସେସବୁକୁ ସହଜରେ ଜାଣିପାରିଥାଏ। ତାଲିମପ୍ରାପ୍ତ ଡଲ୍‌ଫିନ୍‌ ସମୁଦ୍ରରେ ଏ ସମ୍ପର୍କିତ ତଥ୍ୟ ଟ୍ରେନର ତଥା ଏହାର ପରିଚାଳକଙ୍କୁ ପ୍ରଦାନ କରିଥାଏ। ଏହି ଡଲଫିନ୍‌ଗୁଡ଼ିକ ଏତେ ଚାଲାକ ଯେ, ଏକ ଗଲ୍ଫ ବଲ୍‌ ଏବଂ ପିଙ୍ଗ ପଙ୍ଗ ବଲ୍‌ ମଧ୍ୟରେ ତଫାତ୍‌ ଜାଣିପାରିଥାନ୍ତି। ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବାବେଳେ ରୁଷିଆର ନୌସେନା ଘାଟି ଉପରେ ମିଶାଇଲ ଆକ୍ରମଣର ଆଶଙ୍କା ରହିଛି। ମସ୍କୋର ନାଭାଲ ବେସ୍‌ ୟୁକ୍ରେନ୍‌ ରେଞ୍ଜଠାରୁ ବେଶ ଦୂରରେ ଥିଲେ ମଧ୍ୟ ଜଳତଳୁ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟି ରଖି ରୁଷିଆ ଡଲଫିନ୍‌ ଦଳକୁ ସୁରକ୍ଷା ପାଇଁ ନିୟୋଜିତ କରିଛି। ଯୁଦ୍ଧ ଜାହାଜକୁ ଜଗିବା ସହ କାଉଣ୍ଟର-ଡାଇଭର ଅପରେଶନ୍‌ କରିବା ପାଇଁ ଏହି ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ତାଲିମ ଦିଆଯାଇଥିବା ୟୁଏସ୍‌ଏନ୍‌ଆଇ ରିପୋର୍ଟରେ କୁହାଯାଇଛି। ୨୦୧୪ରେ ରୁଷିଆ ୟୁକ୍ରେନ୍‌ ଉପଦ୍ୱୀପ କବ୍‌ଜା କରିବାବେଳେ ସେବାସ୍ତୋପୋଲ ସିରିଆରେ ମସ୍କୋର ଅପରେଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

Share