ବିନା ଏନ୍‌ଓସିରେ ଚାଲିଛି ବ୍ୟବସାୟ

ବାରିପଦା ଅଫିସ,୨୯ା୯: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବିପଦ ସଙ୍କୁଳ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଗ୍ନି ନିର୍ବାପକ ପ୍ରମାଣପତ୍ର(ଏନ୍‌ଓସି) ବିନା ଟାଉନ ପ୍ଳାନିଂରେ ଘର ନକ୍‌ସା ଅନୁମୋଦନ କରିବାର କୌଣସି ନିୟମ ନ ଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ କିପରି ଚାଲୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ଷ୍ଟେଶନ ରୋଡ୍‌ ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାରେ ଘଟିଥିବା ଅଗ୍ନିକାଣ୍ଡକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ବାରିପଦା ପୌରପରିଷଦ ପକ୍ଷରୁ ୬ ଜଣିଆ ଟିମ୍‌ ଉକ୍ତ ବ୍ୟାଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ତେବେ ଯାଞ୍ଚ ବେଳେ ବ୍ୟାଙ୍କ ସମେତ ଆଖପାଖ ଦୋକାନଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରା ନ ଯାଇ ନିୟମ ଉଲ୍ଲଂଘନ ହୋଇଥିବା ଯାଞ୍ଚକାରୀ ଟିମ୍‌ ପ୍ରକାଶ କରିଛନ୍ତି ।

ଜିଲାରେ ଥିବା ବାରିପଦା, ରାଇରଙ୍ଗପୁର ପୌର ପରିଷଦ ଏବଂ ଉଦଳା ଓ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ କରାଯାଇଛି। ସପିଂ ମଲ୍‌, ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ଶିଳ୍ପାନୁଷ୍ଠାନ, ନର୍ସିଂହୋମ ଓ ବ୍ୟବସାୟିକ ପ୍ରତିଷ୍ଠାନମାନ ଗଢ଼ି ଉଠିବାରେ ଲାଗିଛି। ଜିଲାରେ ୫ହଜାରରୁ ଊର୍ଦ୍ଧ୍ୱ ବହୁତଳ ବିଶିଷ୍ଟ ପ୍ରାସାଦଗୁଡ଼ିକରେ ବ୍ୟବସାୟ ଚାଲୁ ରହିଥିବା ବେଳେ ମାତ୍ର ୧୮୫ଟି ଅନୁଷ୍ଠାନ ଅଗ୍ନି ନିର୍ବାପକ ବ୍ୟବସ୍ଥା କରି ଏନ୍‌ଓସି ପ୍ରାପ୍ତ କରିଛନ୍ତି। ସେଥି ମଧ୍ୟରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ୬୦ଟି ଶିକ୍ଷାନୁଷ୍ଠାନର ଅଗ୍ନି ନିର୍ବାପକ ଏନ୍‌ଓସି ରହିଛି। ଅବଶିଷ୍ଟ କୋଠାଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଫଳରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବ୍ୟବସାୟୀମାନେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ବାରିପଦା ବ୍ୟାଙ୍କ ଅଗ୍ନିକାଣ୍ଡ ଘଟଣାକୁ ନେଇ ବୁଧବାର ପୌର ପରିଷଦ ପକ୍ଷରୁ ଏମ୍‌ଇ ସଚ୍ଚିଦାନନ୍ଦ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ବିଲ୍ଡିଂ ପରିଦର୍ଶନ କରି ଆନୁସଙ୍ଗିକ କାଗଜପତ୍ର ଯାଞ୍ଚ କରବା ସହିତ ବିଲ୍ଡିଂ ପରିସରକୁ ମାପଚୁପ କରିଛନ୍ତି। ସେଠାରେ ଆବଶ୍ୟକୀୟ ଅଗ୍ନି ନିର୍ବାପନର ଆନୁସଙ୍ଗିକ ବ୍ୟବସ୍ଥା ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଏହାର ତଦନ୍ତ କରି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ବାରିପଦା ସହରରେ ଥିବା ବହୁତଳ ସପିଂ ମଲ୍‌ଗୁଡ଼ିକ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ବେଳେ ଅଗ୍ନି ନିର୍ବାପକ ପ୍ରମାଣପତ୍ର(ଏନଓସି) ନ ଥିବା ଜଣାପଡ଼ିଛି ା

ସହର ମଧ୍ୟରେ ଥିବା ସପିଂ ମଲ କିମ୍ବା କମ୍ପ୍ଲେକ୍ସଗୁଡ଼ିକ ସରକାରୀ ଜାଗା ମାଡିବସି ବ୍ୟବସାୟ ଚଳାଉଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ମାନ ଘଟିବାରେ ଲାଗିଛି ା ପାକିଂ ବ୍ୟବସ୍ଥା ନକରି ମ୍ୟୁନସିପାଲିଟି ଜାଗାକୁ ଅକ୍ତିଆର କରିଥିବା ବ୍ୟବସାୟିକ ଅନୁଷ୍ଠାନ ଗୁଡିକର ଯାଂଚ କରିବା ସହ ଏନଓସି ଓ ଫାୟାର କ୍ଳିୟରେନ୍ସ ତଦାରଖ କରିବାକୁ ସାଧାରଣରେ ଦାବି ହେଉଛି । ଏ ସଂକ୍ରାନ୍ତରେ ବାରିପଦା ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେଙ୍କୁ ପଚାରିବାରୁ ଆଗକୁ ସହରର ସପିଂ ମଲ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ । ତେବେ ଲୋକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜନଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।