ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ପବିତ୍ର ରଣାଙ୍କୁ ସ୍କୁଲ ନିକଟରେ ଗୋଟିଏ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। କୁକୁରଟି ତାଙ୍କ ହାତର ଆଙ୍ଗୁଳି ସହ ବିଭିନ୍ନ ସ୍ଥାନକୁ ଝୁଣି ଦେଇଥିଲା। ଏପରିକି ଛାତ୍ରଙ୍କ ହାତର ବୁଢ଼ା ଆଙ୍ଗୁଳି ଛିଣ୍ଡି ପଡ଼ିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ପବିତ୍ରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ବୁଧବାର ଉତ୍ତେଜନା ଦେଖାଦେଇଥିଲା। ପୂର୍ବାହ୍ନରେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ। ସ୍କୁଲରେ ଅଧିକ ଶିକ୍ଷକ ନିଯୁକ୍ତି ଓ କ୍ଷତିପୂରଣ ଦାବି କରି ବିଦ୍ୟାଳୟ ବନ୍ଦ କରିଦେଇଥିଲେ। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା। ଜିଲା ଶିକ୍ଷାଅଧିକାରୀ ବସନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ। ସ୍କୁଲରେ ଖୁବ୍ଶୀଘ୍ର ଜଣେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କ୍ଷତିପୂରଣ ବାବଦରେ ଜିଲାପାଳଙ୍କ ସହ ପରାମର୍ଶ କରି ଆହତ ଛାତ୍ରଙ୍କ ଅଭିଭାବକଙ୍କୁ ଡକାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।