ନବଜାତ ଶିଶୁକନ୍ୟାଙ୍କୁ ଝୁଣି ଖାଇଗଲା ବୁଲାକୁକୁର

ଭୁବନେଶ୍ୱର,୧୨।୧୧: ଅନୁଗୋଳ ଜିଲା ଶରଧାପୁର ପଞ୍ଚାୟତ ରାସ୍ତାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକନ୍ୟାଙ୍କୁ ବୁଲା କୁକୁର ଝୁଣି ଖାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଅନୁଗୋଳ ଜିଲା ତାଳଚେର ଅଞ୍ଚଳର ଜଣେ ଯୁବକ ବାଇକ୍‌ରେ ଯାଉଥିବା ବେଳେ ନବଜାତ ଶିଶୁଙ୍କୁ ଏକ ବୁଲା କୁକୁର ଖାଉ ଥିବା ଦେଖି ଅଟକି ଯାଇଥିଲେ। ପରେ ସେ ବାଇକ୍‌ରୁ ଓହ୍ଲାଇ କୁକୁରକୁ ଘଉଡାଇ ଥିଲେ। ଏନେଇ ସେ ଜଣେ ସାମାଜିକ କର୍ମୀଙ୍କୁ ଅବଗତ କରାଇଥିଲେ। ପରେ ସେ ଘଟଣା ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିଲା ବେଳକୁ ନବଜାତ ଶିଶୁଙ୍କ ଜୀବନ ଚାଳିଯାଇଥିଲା। ଖବର ପାଇ ଅନୁଗୋଳ ପୋଲିସ ପହଞ୍ଚି ଶିଶୁର ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ କେହି ଜଣେ ନବଜାତ ଶିଶୁ କନ୍ୟାଙ୍କୁ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।