ଆଇଏଏସ ଅଧିକାରୀଙ୍କ ବଦଳିରେ ଦରମା ବଢେ ନା କମେ? ଜାଣନ୍ତୁ ଟ୍ରାନ୍ସଫର୍‌ ସମୟରେ ମିଳୁଥିବା ସମସ୍ତ ବଡ଼ ସୁବିଧା

ନୂଆଦିଲ୍ଲୀ,୧୪।୧୧: ଉତ୍ତରପ୍ରଦେଶରେ ସମ୍ପ୍ରତି ୩୮ ଜଣ ଆଇଏଏସ (IAS) ଅଧିକାରୀଙ୍କ ବଦଳି ପରେ ପ୍ରଶାସନିକ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋରଧରିଛି। କୌଣସି ଅଧିକାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାର ଦାୟିତ୍ୱ ମିଳିଥାଏ, ତ କାହାକୁ ବିଭାଗରେ ନୂତନ ନିଯୁକ୍ତି ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ, ଜଣେ ଆଇଏଏସ ଅଧିକାରୀଙ୍କ ବଦଳି ହେଲେ କ’ଣ ତାଙ୍କର ଦରମା ମଧ୍ୟ ବଦଳି ଯାଇଥାଏ? ନୂତନ ସ୍ଥାନକୁ ଯିବା ଏବଂ ଘରର ଜିନିଷପତ୍ର ସିଫ୍ଟ କରିବାର ଖର୍ଚ୍ଚ କିଏ ବହନ କରିଥାଏ? ଆସନ୍ତୁ ଜାଣିବା ଏଭଳି ଅନେକ ପ୍ରଶ୍ନର ଉତ୍ତର।

ବଦଳି ଦ୍ୱାରା କ’ଣ ଦରମା ବଦଳି ଯାଏ?

ଆପଣଙ୍କ ଜାଣତି ନିମନ୍ତେ କହିରଖୁଛୁ ଯେ, କୌଣସି ଆଇଏଏସ ଅଧିକାରୀଙ୍କ କେବଳ ବଦଳି ହେବା ମାତ୍ରେ ତାଙ୍କର ମୂଳ ବେତନ (Basic Salary) ଆପେ ଆପେ ବଢ଼ିଥାଏ କିମ୍ୱା କମିଥାଏ ନାହିଁ। ବେତନ ଅଧିକାରୀଙ୍କ ପେ-ଲେଭଲ (Pay-Level) ଏବଂ ସେବା ସମ୍ୱନ୍ଧୀୟ ନିୟମ ଅନୁଯାୟୀ ସ୍ଥିର କରାଯାଇଥାଏ। ହଁ, ନୂତନ ନିଯୁକ୍ତିରେ ପଦ, ଦାୟିତ୍ୱ ଏବଂ ସ୍ଥାନ ଆଧାରରେ କିଛି ଭତ୍ତା (Allowances) ରେ ପରିବର୍ତ୍ତନ ସମ୍ଭବ ଅଟେ। ମହଙ୍ଗା ଭତ୍ତା ଅର୍ଥାତ ଡି.ଏ. (DA) ମଧ୍ୟ ସରକାରଙ୍କ ପକ୍ଷରୁ ସମୟ ସମୟରେ ସଂଶୋଧିତ ହାର ଅନୁଯାୟୀ ମିଳିଥାଏ।

ବଦଳି ସମୟରେ ମିଳୁଥିବା ପ୍ରମୁଖ ସୁବିଧାଗୁଡ଼ିକ ମଧ୍ୟରେ କମ୍ପୋଜିଟ ଟ୍ରାନ୍ସଫର୍‌ ଗ୍ରାଣ୍ଟ (CTG) ସାମିଲ ଅଛି। କେନ୍ଦ୍ର ସରକାରଙ୍କ ୭ମ ବେତନ ଆୟୋଗ ସହିତ ଜଡ଼ିତ ନିୟମ ଅନୁଯାୟୀ, ୨୦ କିଲୋମିଟର ବା ତତୋଧିକ ଦୂରତାରେ ଷ୍ଟେସନ ପରିବର୍ତ୍ତନ ହେବା ସ୍ଥିତିରେ ଯୋଗ୍ୟ କର୍ମଚାରୀଙ୍କୁ ଗତ ମାସର ମୂଳ ବେତନର ୮୦ ପ୍ରତିଶତ CTG ମିଳିପାରିବ। ତଥାପି, ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ପାଇଁ ସମ୍ପୃକ୍ତ ରାଜ୍ୟର ନିୟମ ଏବଂ ସୁବିଧା ଅନୁଯାୟୀ ପରିବର୍ତ୍ତନ ହୋଇପାରେ।

ନୂତନ ପୋଷ୍ଟିଂରେ ଅଧିକାରୀଙ୍କୁ ନିୟମାନୁଯାୟୀ ସରକାରୀ ବାସଗୃହ ଆବଣ୍ଟନ କରାଯାଇପାରିବ। ବାସଗୃହ ଉପଲବ୍ଧ ନହେଲେ ଅସ୍ଥାୟୀ ଭାବରେ ରହିବାର ବ୍ୟବସ୍ଥା ସ୍ଥାନୀୟ ନିୟମ ଏବଂ ଉପଲବ୍ଧତା ଅନୁଯାୟୀ ହୋଇପାରେ। ପୁରୁଣା ସ୍ଥାନରୁ ନୂତନ ସ୍ଥାନ ପର୍ଯ୍ୟନ୍ତ ଘରୋଇ ଜିନିଷପତ୍ର ପହଞ୍ଚାଇବା ପାଇଁ ମଧ୍ୟ ର୍ନିଦ୍ଧାରିତ ସୀମା ଏବଂ ଯୋଗ୍ୟତା ଅନ୍ତର୍ଗତ ଖର୍ଚ୍ଚ ଭରଣା (Reimbursement) ର ବ୍ୟବସ୍ଥା ରହିଛି।

ଆଇଏଏସ ଅଧିକାରୀମାନଙ୍କୁ ସରକାରୀ ଯାନବାହନର ସୁବିଧା ସେମାନଙ୍କର ପୋଷ୍ଟିଂ, ପଦ ଏବଂ କାର୍ଯ୍ୟର ଆବଶ୍ୟକତା ଆଧାରରେ ଦିଆଯାଇଥାଏ। ପ୍ରତ୍ୟେକ ଅଧିକାରୀଙ୍କୁ ଗୋଟିଏରୁ ତିନୋଟି ଗାଡ଼ି ମିଳିବାର କୌଣସି ସର୍ୱବ୍ୟାପୀ ନିୟମ ନାହିଁ। ସେହିପରି ସୁରକ୍ଷା ମଧ୍ୟ ପଦ, ଦାୟିତ୍ୱ ଏବଂ ବିପଦ ଆକଳନ ଆଧାରରେ ଉପଲବ୍ଧ କରାଯାଇଥାଏ। ଘର ଭଡ଼ା ଭତ୍ତା ଅର୍ଥାତ୍ ଏଚ.ଆର୍‌.ଏ. (HRA) ସହରର ଶ୍ରେଣୀ ଏବଂ ପ୍ରଯୋଜ୍ୟ ନିୟମ ଅନୁଯାୟୀ ସ୍ଥିର ହୋଇଥାଏ। ସରକାରୀ ବାସଗୃହ ମିଳିଲେ ପ୍ରାୟତଃ HRA ମିଳି ନଥାଏ। ସେହିପରି DA ମହଙ୍ଗା ଆଧାରରେ ସଂଶୋଧିତ ହୋଇଥାଏ।

Share