ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍ରେ ରଖିବେ କି ଥାକରେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଅଣ୍ଡା ସକାଳ ଜଳଖିଆଠାରୁ ଆରମ୍ଭ କରି ବେକିଂ ପର୍ଯ୍ୟନ୍ତ ସବୁଥିରେ ବ୍ୟବହାର କରାଯାଏ। ମାତ୍ର ଏହାକୁ ରଖିବା ଭିନ୍ନଭିନ୍ନ ଉପାୟରେ ହୋଇଥାଏ। ସୋସିଆଲ ମିଡିଆରେ ଅଣ୍ଡା କେମିତି ରଖିଲେ ଅଧିକ ଦିନ ରହିବ ସେନେଇ ମଧ୍ୟ ନାନା ତର୍କ ବିତର୍କ ବେଳେବେଳେ ଚାଲିଥାଏ। ଚାଲନ୍ତୁ ଜାଣିବା ପ୍ରକୃତରେ ଅଣ୍ଡା କେଉଁଠି ରଖିବା ଉଚିତ୍…
ଆମେରିକା ଭଳି ଦେଶରେ ଅଣ୍ଡାଗୁଡ଼ିକୁ ଧୋଇ ସଫା କରାଯାଏ ଏବଂ ବିକ୍ରି କରିବା ପୂର୍ବରୁ ପ୍ୟାକିଂ କରାଯାଏ। ଏହି ପ୍ରକ୍ରିୟା ଅଣ୍ଡାର ପ୍ରାକୃତିକ ସୁରକ୍ଷା ସ୍ତର, ବ୍ଲୁମକୁ ଦୂର କରିଦିଏ, ଯାହା ଏହାକୁ ଜୀବାଣୁରୁ ରକ୍ଷା କରେ। ଏହି ସ୍ତରକୁ ବାହାର କରିଦିଆ ଗଲେ ସାଲମୋନେଲା ଭଳି ଜୀବାଣୁ ଅଣ୍ଡାରେ ପ୍ରବେଶ କରିବାର ଆଶଙ୍କା ବୃଦ୍ଧି ପାଏ। ତେଣୁ ଜୀବାଣୁ ବୃଦ୍ଧି ରୋକିବା ପାଇଁ ଅଣ୍ଡାକୁ ସର୍ବଦା ୪ ଡିଗ୍ରୀ ସେଲ୍ସିୟସ୍ କିମ୍ବା ତା’ଠାରୁ କମ୍ ତାପମାତ୍ରାରେ ଫ୍ରିଜ୍ରେ ରଖିବା ବାଧ୍ୟତାମୂଳକ।
ୟୁରୋପ ଏବଂ ଏସିଆର ଅନେକ ଦେଶ ପରି ଭାରତରେ ଅଣ୍ଡାଗୁଡ଼ିକୁ ନ ଧୋଇ ବିକ୍ରି କରାଯାଏ। ଯାହା ସେମାନଙ୍କର ପ୍ରାକୃତିକ ସୁରକ୍ଷା ସ୍ତରକୁ ସଂରକ୍ଷଣ କରିଥାଏ। ତଥାପି ଭାରତର ଜଳବାୟୁ ବିଶେଷକରି ଗରମ ଏବଂ ଆର୍ଦ୍ରତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଗରମ ପାଗ ଯୋଗୁ ଅଣ୍ଡାଗୁଡ଼ିକ ଶୀଘ୍ର ନଷ୍ଟ ହୋଇପାରେ, ଦୁର୍ଗନ୍ଧ ସୃଷ୍ଟି ହୁଏ ଏବଂ ଜୀବାଣୁ ଦ୍ରୁତଗତିରେ ବଢ଼ିପାରେ। ତେଣୁ ଗ୍ରୀଷ୍ମ ଏବଂ ଶରତ ଋ଼ତୁରେ ଅଣ୍ଡାଗୁଡ଼ିକୁ ଫ୍ରିଜ୍ରେ ରଖିବା ଭଲ। ଶୀତଦିନେ ଧୋଇ ହୋଇ ନ ଥିବା ଅଣ୍ଡା ବାହାରେ ୪ରୁ ୫ଦିନ ପର୍ଯ୍ୟନ୍ତ ସତେଜ ରହିପାରେ।
ଯେତେବେଳେ ଅଣ୍ଡାକୁ ଫ୍ରିଜ୍ରୁ ବାହାର କରାଯାଏ ସେତେବେଳେ ଏହାର ପୃଷ୍ଠରେ ଆର୍ଦ୍ରତା ଜମା ହୁଏ। ଏହି ଆର୍ଦ୍ରତା ଜୀବାଣୁ ବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରେ। ତେଣୁ ଅଣ୍ଡାକୁ ଫ୍ରିଜ୍ରେ ରଖିବା ପରେ ସେଗୁଡ଼ିକୁ ବାରମ୍ବାର ବାହାର କରିବାରୁ ନିବୃତ୍ତ ରୁହନ୍ତୁ।
ଏକ ପାତ୍ରରେ ପାଣି ଭର୍ତ୍ତି କରନ୍ତୁ ସେଥିରେ ଏକ ଅଣ୍ଡା ରଖନ୍ତୁ। ଯଦି ଅଣ୍ଡା ତଳେ ସ୍ଥିର ହୋଇଯାଏ ତେବେ ଏହା ତାଜା। ଯଦି ଏହା ବାଜେ ତେବେ ଏହାକୁ ଫୋପାଡ଼ି ଦିଅନ୍ତୁ।
ଫ୍ରିଜ୍ ଅଣ୍ଡାର ସ୍ବାଦକୁ ପରିବର୍ତ୍ତନ କରେ ନାହିଁ କିମ୍ବା ଏହାର ପୁଷ୍ଟିକର ମୂଲ୍ୟକୁ ହ୍ରାସ କରେ ନାହିଁ।


