Categories: ଫୁରସତ

ନବଜାତ ଶିଶୁ ଭାବି ଖେଳନାର ପୋଷ୍ଟମର୍ଟମ କଲେ ଡାକ୍ତର

ବୁଲଡାନ, ୧୩।୭- ମହାରାଷ୍ଟ୍ରର ବୁଲଡାନ ସହରରେ ଏକ ଅଜବ ଘଟଣା ଘଟିଯାଇଛି। ଡାକ୍ତରମାନେ ଏକ ଖେଳନାକୁ ନବଜାତ ଶିଶୁର ଶବ ଭାବି ଏହାର ପୋଷ୍ଟମର୍ଟମ କରିଥିଲେ। କିନ୍ତୁ ଯେତେବେଳେ ପୋଷ୍ଟମର୍ଟମର କିଛି ସମୟ ପରେ ସେହି ଖେଳନା ଭିତରୁ ସୂତା ଓ ସ୍ପଞ୍ଜ ବାହାରିଥିଲା ସେତେବେଳେ ଡାକ୍ତରମାନେ ସନ୍ଦେହ ପ୍ରକଟ କରିଥିଲେ। ପରବର୍ତ୍ତୀ ସମୟରେ ଡାକ୍ତରମାନେ ଏହା ଏକ ନବଜାତ ଶିଶୁ ନୁହେଁ ବରଂ ଖେଳନା ବୋଲି ଜାଣିପାରିଥିଲେ। ଏହି ଘଟଣା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାଟି ବୁଲଡାନର ଖାମଗାଓଁ ତହସିଲ ଅନ୍ତର୍ଗତ ବୋରାଜଓ୍ବାଲା ଗ୍ରାମରେ ଘଟିଛି। ଗ୍ରାମବାସୀମାନେ ସ୍ଥାନୀୟ ନଦୀକୂଳରେ ଏକ ୭-୮ ମାସର ଶିଶୁର ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ସ୍ଥାନୀୟ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଶବକୁ ଉଦ୍ଧାର କରିବା ସହ ଜିଲା ହସ୍ପିଟାଲକୁ ଏହାର ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଷ୍ଟମର୍ଟମ ପର୍ଯ୍ୟନ୍ତ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ପୋଲିସ ଓ ଡାକ୍ତର କେହି ମଧ୍ୟ ଜାଣିପାରି ନ ଥିଲେ ଯେ ଏହା ଏକ ଖେଳନା ବୋଲି। ଖେଳନାଟି କାଦୁଅରେ ପଡ଼ି ଦୁର୍ଗନ୍ଧ ବାହାରୁଥିବାରୁ କାହାରି ମନରେ ସାମାନ୍ୟତମ ସନ୍ଦେହ ମଧ୍ୟ ହୋଇ ନ ଥିଲା। ଏହି ଘଟଣା ପରେ ଡାକ୍ତରମାନେ ଅଡ଼ୁଆରେ ପଡ଼ିଯାଇଛନ୍ତି। ପ୍ରଥମଥର ଏହିଭଳି ଘଟଣା ଘଟିଛି ବୋଲି ପୋଷ୍ଟମର୍ଟମ କରୁଥିବା ଡାକ୍ତର କହିଛନ୍ତି।

Share