ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ କରାଯାଇଛି। ଗତ ୬ ମାସ ତଳେ କେବଳ ଦିନକୁ ୧ ଘଣ୍ଟା କାମବନ୍ଦ ଆନ୍ଦୋଳନ କରିଥିବାରୁ ଡାକ୍ତର ତାଙ୍କର ୧୦ ଦଫା ନ୍ୟାଯ୍ୟ ଦାବି ପୂରଣ ହୋଇ ନ ଥିଲା। ତେଣୁ ବୁଧବାର ପୁଣି ସମ୍ପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ ବାଧ୍ୟ ହୋଇ କରିଛନ୍ତି। ଗତ ଥର ଘଣ୍ଟାକ ପାଇଁ ଆନ୍ଦୋଳନ କରିଥିବାରୁ ରାଜ୍ୟ ସରକାର ଡାକ୍ତରମାନଙ୍କୁ ୩ ମାସର ସମୟ ମାଗି ଆନ୍ଦୋଳନକୁ ସେହି ସମୟରେ ଆପୋଷ ବୁଝାମଣାରେ ବନ୍ଦ କରି ଦେଇଥିଲେ। କିନ୍ତୁ ଆଜିକୁ ୩ ମାସ ବଦଳରେ ୬ ମାସ ପରେ ମଧ୍ୟ ତାଙ୍କ ୧୦ ଦଫା ଦାବି ପୂରଣ ନ ହେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ମେଡିକାଲର ସମସ୍ତ ସେବା ବୁଧବାରଠାରୁ ଠପ୍ ହୋଇଯାଇଛି। ଗରିବ ଲୋକେ ହଇରାଣ ହେଉଛନ୍ତି। ଗରିବ ଲୋକଙ୍କ ଜରୁରୀକାଳିନ ସେବା ପାଇଁ ବର୍ତ୍ତମାନ କେବଳ ବେସରକାରୀ ମେଡିକାଲ ହିଁ ସାହା ଭରସା ହୋଇଥିବାବେଳେ କେବଳ ଆୟୁଷ ଡାକ୍ତର ରୋଗୀସେବା କରୁଥିବା ଦେଖିବାକୁ ମିଲିଛି। ଜରୁରୀକାଳିନ ସେବା ମଧ୍ୟ ବନ୍ଦ ପଡ଼ିଛି।