ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ

ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଠିକ୍‌ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ କରୁଥିଲେ ଡାକ୍ତର ଟିମ୍‌। ନିଆଁକୁ ଖାତିର ନ କରି ଆଦୌ ଭୟଭୀତ ତଥା ବିଚଳିତ ନ ହୋଇ ସ୍ଥିର ମସ୍ତିଷ୍କରେ ସେମାନେ ଅପରେଶନ କରିଥିଲେ। ଡାକ୍ତର ଟିମ୍‌ଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ପୂର୍ବ ସହର ବ୍ଲାଗୋଭେଶସ୍କରୁ ଆସିଛି। ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ଏହି ସମୟରେ ଡାକ୍ତରଙ୍କ ପୂରା ଟିମ୍‌ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ କରୁଥିଲେ। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିଛି।

ରୁଷିଆର ଜରୁରିକାଳୀନ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ, ୮ ଜଣ ଡାକ୍ତର ଏବଂ ନର୍ସଙ୍କ ଏକ ଟିମ୍‌ ରୋଗୀଙ୍କୁ ପୂର୍ବରୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ଏହି ଅପରେଶନ ସଫଳ ହୋଇଥିଲା।

ରୋଗୀଙ୍କ ଅପରେଶନ କରିଥିବା ସର୍ଜନ ଭାଲେଣ୍ଟାଇନ୍‌ ଫିଲାଟୋଭେନ କହିଛନ୍ତି ଯେ, ଆମ ନିକଟରେ କୌଣସି ବିକଳ୍ପ ନ ଥିଲା। ଆମକୁ ଯେମିତି ହେଲେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପଡ଼ିବ। ଏହି କଥାକୁ ଗୁରୁତ୍ୱ ଦେଇ ଆମେ ଅପରେଶନ କରିଥିଲୁ। ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲୁ।

Share