ବୋଲଗଡ଼ର ସବୁ ମେଡିକାଲରେ ଡାକ୍ତର ନିଯୁକ୍ତ

ବୋଲଗଡ,୨୯।୬(ଦେବବ୍ରତ ହୋତା)ସ୍ଥାନୀୟ ବିଧାୟକଙ୍କ ପ୍ରତିଶ୍ରୁତି ମୁତାବକ ସୁଧୁରିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସ୍ବାସ୍ଥ୍ୟସେବା। ନୂଆ ଡାକ୍ତର ନିଯୁକ୍ତ ହେବା ସହ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯାଇଛି। ବୋଲଗଡ ବ୍ଲକ ଅନ୍ତର୍ଗତ ସମୁଦାୟ ୮ଟି ମେଡିକାଲରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯାଇଛି। ତାଳତୁମ୍ବ ଓ ଦେଉଳି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିବାବେଳେ ଦୀର୍ଘଦିନ ଧରି ଖାଲିପଡିଥିବା ପିଚୁକୁଳି, ମାଣିବନ୍ଧ, ଗୌଡନୂଆଗାଁ ଓ ମାଣିକାଗୋଡା ଆଦି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏ ଓ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ଜଣ ଡାକ୍ତରଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ମଙ୍ଗଳବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ନବନିଯୁକ୍ତ ଡାକ୍ତରମାନଙ୍କ ସହ ଆଲୋଚନା କରି ନିଯୁକ୍ତି ସ୍ଥାନ ପ୍ରଦାନ କରିଛନ୍ତି। ସେହି କ୍ରମରେ ଡା. ସମିଧା ଦାସ ପିଚୁକୁଳି ପିଏଚ୍‌ସି, ଡା. ଜ୍ୟୋତ୍ସ୍ନାରାଣୀ ରାଉତ ଗୌଡନୂଆଗାଁ ପିଏଚସି, ଡା. ବିଶ୍ବଜିତ ମୁଦୁଲି ମାଣିବନ୍ଧ ପିଏଚସି, ଡା. ତ୍ୱେସା ପଣ୍ଡା ମାଣିକାଗୋଡା ପିଏଚସିରେ ଏବଂ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡା.ମହମଦ ଅବଦୁଲ ମୁଜିବ ଓ ଡା. ରୁତାୟନି ମିଶ୍ର ପ୍ରମୁଖ ଯୋଗଦେବେ। ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ଡାକ୍ତର ଅଭାବ ନେଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୋଲଗଡ ବ୍ଲକ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଥିଲା, ଏଥିନେଇ ଗତ ନଭେମ୍ବରରେ ବୋଲଗଡ ମିନିଷ୍ଟାଡିୟମରେ ବ୍ଲକସ୍ତରୀୟ ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଦୁର୍ଗାପ୍ରସାଦ ଜେନା, ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ରତିରଞ୍ଜନ ଷଣ୍ଢ ପ୍ରମୁଖଙ୍କ ସମେତ ବ୍ଲକ ଅଧ୍ୟକ୍ଷା, ବିଡିଓ, ତହସିଲଦାର, ବିଇଓ, ସିଡିପିଓ ଓ ରୋଗୀ କଲ୍ୟାଣ ସମିତି ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ଡାକ୍ତର ଅଭାବ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହାର ଗୁରୁତ୍ୱ ଉପଲବ୍ଧି କରି ଖାଲିପଡିଥିବା ଚିକିତ୍ସିକ, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ଚତୁର୍ଥ ଶ୍ରେଣୀ ପଦବୀଗୁଡିକ ବହୁଶୀଘ୍ର ପୂରଣ କରାଯିବ ବୋଲି ବିଧାୟକ ସାହୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ପୂରଣ ହୋଇଛି ଏବଂ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଧାୟକଙ୍କ ପ୍ରସ୍ତାବକ୍ରମେ ରାଜ୍ୟ ସରକାର ଆମ ହସ୍ପିଟାଲ ଯୋଜନାରେ ସାମିଲ କରିଛନ୍ତି। ଗୁରୁବାର ନବନିଯୁକ୍ତ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ ବୋଲି ବ୍ଲକ ମୁଖ୍ୟ ଚିକିତ୍ସାଧିକାରୀ ଡା. ଦେବଦତ୍ତ ଦାସ ସୂଚନା ପ୍ରଦାନ କରିଛନ୍ତି।