Categories: ଜାତୀୟ

ନାବାଳିକାଙ୍କ ପରିଚୟ ଗୋପନ ରଖିବେ ଡାକ୍ତର

ନୂଆଦିଲ୍ଲୀ,୧।୧୦(ପି.ଟି.): ସହମତିରେ ଯୌନ ସମ୍ପର୍କ ରଖିଥିବା ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଥିଲେ ଡାକ୍ତରମାନେ ସେମାନଙ୍କ ପରିଚୟ ସ୍ଥାନୀୟ ପୋଲିସକୁ ନ ଦେବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଗୁରୁବାର ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ରାୟରେ କହିଥିଲେ, ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍ନାନ୍ସି (ଏମ୍‌ଟିପି) ଆଇନରେ ଅବିବାହିତା ମହିଳା ଗର୍ଭଧାରଣର ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇପାରିବେ। ଏହି ସୁବିଧାକୁ କେବଳ ବିବାହିତ ମହିଳାମାନଙ୍କୁ ଦିଆଯିବା ପକ୍ଷପାତ ଏବଂ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।
ଉକ୍ତ ଆଇନର ସୁବିଧା ସବୁ ମହିଳା ନେଇପାରିବେ। ୧୮ ବର୍ଷରୁ କମ୍‌ ବୟସ୍କା ସହମତିରେ ଯୌନକ୍ରିୟାରେ ଲିପ୍ତ ଥିଲେ, ସେମାନଙ୍କ ପାଇଁ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଏବଂ ଏମ୍‌ଟିପି ଆଇନ ଅନୁଯାୟୀ ସୁରକ୍ଷା ମିଳିବା ଉଚିତ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏ.ଏସ୍‌. ବୋପାନ୍ନା ଏବଂ ଜେ.ବି. ପର୍ଡିଓ୍ବାଲାଙ୍କ ଖଣ୍ଡପୀଠ କହିଛନ୍ତି। ନାବାଳିକା ଏବଂ ତାଙ୍କ ଅଭିଭାବକଙ୍କ ଅନୁରୋଧକ୍ରମେ ଡାକ୍ତର ଏମ୍‌ଟିପି ଆଇନରେ ଗର୍ଭପାତ କରାଇପାରିବେ। ତେବେ ପୋକ୍ସୋ ଆଇନର ଧାରା ୧୯(୧) ଅନୁଯାୟୀ ନାବାଳିକାଙ୍କ ପରିଚୟ ଏବଂ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share